Saturday, 19 September 2015

ସମ୍ପର୍କ ଦୁର୍ବଳ ହୁଏ କାହିଁକି ?

ଆଶା କରନାହିଁ, ଦୁଃଖ କର ନାହିଁ୤ ପୁରୁଷ ଓ ନାରୀ ବସ୍ତୁତଃ ପରସ୍ପରଠାରୁ ସମ୍ପୂର୍ଣ୍ଣଭାବେ ଭିନ୍ନ୤ ପରସ୍ପରର ସହଭାଗୀ ହୋଇପାରନ୍ତି, କିନ୍ତୁ ନିଜକୁ ଅନ୍ୟଭଳି କରିବାକୁ ଚେଷ୍ଟା କରିଲେ ବିଫଳ ହେବେ ହିଁ ହେବେ୤ କିନ୍ତୁ କିଛି ସ୍ତ୍ରୀ ନିଜ ସ୍ବାମୀଙ୍କୁ ଭିନ୍ନ ଭିନ୍ନ୍ କାରଣ ଦର୍ଶାଇ ଲାଞ୍ଛନା ଦେଇଥାନ୍ତି ଏବଂ ସେମାନଙ୍କ ସମ୍ପର୍କ ଦୁର୍ବଳ ହୋଇଥାଏ୤ ଏମିତି କିଛି କାରଣ ହେଲା;
ସ୍ତ୍ରୀମାନେ ସାଧାରଣତଃ ଅଭିଯୋଗ କରନ୍ତି, ତୁମେ ମୋର ନିରବତାକୁ ବୁଝିପାରୁନ ମୋ କଥା କଣ ବୁଝିବ୤ କିନ୍ତୁ ସତ୍ୟ ହେଉଛି, ଯେ ନିରବତା ଅପେକ୍ଷା ଶବ୍ଦକୁ ବୁଝିବା ବହୁତ ସହଜ୤ ସ୍ତ୍ରୀମାନେ ଭୁଲିଯାଉଛନ୍ତି ଯେ ସ୍ବାମୀମାନେ ଅନ୍ୟ ଜଣେ ଲୋକ ଏବଂ ସେମାନଙ୍କ ଭିତରେ କୌଣସି ତାର ଲାଗିନି ଯେ ଆପେ ଆପେ ସ୍ବାମୀ ସ୍ତ୍ରୀର ମନ କଥା ବୁଝିଦେଇ ପାରିବ୤ ସେଇଥିପାଇଁ ଯଦି କିଛି କହିବାର ଅଛି ଶବ୍ଦର ସାହାର ନିଅ, ନିରବ ରହ ନାହିଁ୤
ପରିବର୍ତ୍ତନ ହିଁ ଦୁନିଆର ନିୟମ୤ କିଛି ମହିଳା ଭାବନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ସୁହାଇଲା ଭଳି ପରିବର୍ତ୍ତିତ ହୋଇଯିବେ୤ କିନ୍ତୁ ସବୁ ପରିବର୍ତ୍ତନ ତତ୍‌କ୍ଷଣାତ ହୁଏ ନାହିଁ୤ କିଛି ପରିବର୍ତ୍ତନ ହେବାପାଇଁ ବର୍ଷ ବର୍ଷ ସମୟ ବି ଲାଗିପାରେ୤ ତୁମ ସହ ସମ୍ପର୍କ ରଖିବାକୁ ହେଲେ ଜଣେ ବ୍ୟକ୍ତି ଗୋଟିଏ ରାତିରେ ପୁରା ବଦଳିଯିବ ବୋଲି ଭାବିବା ମୁର୍ଖାମୀ ଛଡ଼ା ଆଉ କିଛି ହୋଇନପାରେ୤ ଯେଉଁ ବ୍ୟକ୍ତି ଜନ୍ମରେ ଏମିତି ଥିବ ଆଉ ତାକୁ ସେମିତି ଦେଖି ତୁମେ ଭଲ ପାଇଥିବ, ଏବେ ତାକୁ ବଦଳାଇବାକୁ ଏତେ ତତ୍ପର କାହିଁକି ?
ଅନେକ ମହିଳା ନିଜ ପୁରୁଷ ସାଥୀଙ୍କର ମୁଖ୍ୟ ଆକର୍ଷଣ ହୋଇ ରହିବାକୁ ଚେଷ୍ଟା କରନ୍ତି୤ ସବୁବେଳେ କେବଳ ସେ ତାଙ୍କ ବିଷୟରେ ହିଁ ଚିନ୍ତାକରୁ୤ କିନ୍ତୁ ସେମାନେ ଭୁଲିଯାଆନ୍ତି, ସେମାନେ ଯେତେ ସମୟ ଏକାଠି ରହିଲେ ବି ଏହା ପୂର୍ବରୁ ପୁରୁଷ ଜଣକ ନିଜ ପରିବାର ସହ ଅଧିକ ସମୟ ବିତାଇଛି, ସେ ନିଜ ପାଇଁ କିଛି ଅଭ୍ୟାସ, ଲକ୍ଷ୍ୟ, ବନ୍ଧୁ ଆଉ ଯୋଜନା କରିଛି୤ ସେ ସବୁ ଛାଡ଼ିଦେଇ କେବଳ ତୁମ କଥା ହିଁ ଚିନ୍ତା କରିବ ବୋଲି ଯଦି ଭାବୁଥାଅ, ତା ହେଲେ ଏହା ସମ୍ଭବ ନାହିଁ୤
ହଁ ତୁମ ପାଇଁ ହୁଏତ ସେ ଅନେକ ରାତି ଅନିଦ୍ରା ରହିଥାଇ ପାରେ, କିମ୍ବା ତୁମ କଥା ଚିନ୍ତା କରି ଦିନ ଆରମ୍ଭ ଓ ଶେଷ କରୁଥାଇ ପାରେ, କିନ୍ତୁ ସବୁବେଳେ ଓ ସବୁ ସମୟରେ ତୁମେ ହିଁ ତା’ର ପ୍ରାଥମିକତା ବୋଲି ଭାବିବା ଅନୁଚିତ୤ ବେଳେ ବେଳେ କର୍ମବ୍ୟସ୍ତତାରେ ରହି ସେ ଯଦି ଫୋନ କରିବାକୁ ଭୁଲିଯାଏ, ତେବେ ବିରକ୍ତି ହେବା ଅନୁଚିତ୤ ତୁମ ଛଡ଼ା ତା ପାଇଁ ଆହୁରି ଅନେକ ଗୁରୁତ୍ତ୍ବପୂର୍ଣ୍ଣ ଜିନିଷ ଅଛି, ଯେମିତି ପରିବାର, ଚାକିରୀ, ବ୍ୟବସାୟ, ବନ୍ଧୁବାନ୍ଧବ, ଘର ଭଡ଼ା, ଗୃହଋଣ, ଗାଡ଼ି ଋଣ ଇତ୍ୟାଦି୤ ତୁମେ ତାଙ୍କ ଜୀବନର ଏକ ପ୍ରମୁଖ ଅଂଶ ହୋଇପାର, କିନ୍ତୁ କେବଳ ତୁମେ ହିଁ ହେବ ତାହା ସମ୍ଭବ ନୁହେଁ୤
ନିଜର ବ୍ୟକ୍ତିଗତ ଜୀବନକୁ ତ୍ୟାଗ କରିବା କୌଣସି ବ୍ୟକ୍ତିପାଇଁ ମଧ୍ୟ ଚିନ୍ତାର ବିଷୟ ହୋଇପାରେ୤ 

ପୁରୁଷମାନେ କିଛି କଥା ଲୁଚାଇଲେ ବା ନ ଲୁଚାଇଲେ ବି, ସେମାନେ ସବୁ ବେଳେ ସବୁ ବିଷୟରେ କଥା ହେବାକୁ ଭଲ ପାଆନ୍ତି ନାହିଁ୤ ଅପରନ୍ତୁ ଅନେକ ମହିଳା ନିଜ ମନରେ ଥିବା ସବୁ କଥା କହିଦେବାରେ ବିଶ୍ବାସ କରନ୍ତି୤ ସେଇଥିପାଇଁ ସେମାନେ ମଧ୍ୟ ନିଜ ପୁରୁଷ ସାଥୀଠାରୁ ସମାନ ପ୍ରତିକ୍ରିୟା ଆଶା କରନ୍ତି୤ ମନେ ରଖ, ପୁରୁଷ ମାନେ ଅଧିକ ପ୍ରତିକ୍ରିୟାଶୀଳ ନ ହୋଇ ବା ଭାବପ୍ରବଣ ନ ହୋଇ କାମ କରନ୍ତି୤ ସେଇଥିପାଇଁ ସେମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ଏକା ଛାଡ଼ିଦିଅ୤

ପ୍ରତ୍ୟେକ ବ୍ୟକ୍ତିର ନିଜସ୍ବ ଇଚ୍ଛା ଓ ସ୍ବାଚ୍ଛନ୍ଦ୍ୟ ଥାଏ୤ ସମାନ ଇଚ୍ଛା ବା ପସନ୍ଦ ଥିଲେ ଲୋକମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥାନ୍ତି୤ ହେଲେ ସମୟ ସହିତ ବ୍ୟକ୍ତିର ପସନ୍ଦ ଅପସନ୍ଦ ବି ବଦଳିଥାଏ୤ ତୁମକୁ ଯଦି କୌଣସି ଜିନିଷ ପସନ୍ଦ ନାହିଁ, ତା ହେଲେ ତୁମେ ନିଜ ପୁରୁଷ ସାଥୀକୁ ମଧ୍ୟ ନିଜର ପସନ୍ଦ ବଦଳାଇବା ପାଇଁ ବାଧ୍ୟ କରିବା ଅନୁଚିତ୤ ଯେମିତି ତୁମେ ତା ପସନ୍ଦର ସବୁ ଜିନିଷକୁ ଭଲ ପାଅନାହିଁ, ସେମିତି ସେ ମଧ୍ୟ ତୁମ ପସନ୍ଦକୁ ଭଲ ପାଇବ ବୋଲି କୌଣସି ଧରାବନ୍ଧା ନିୟମ ନାହିଁ୤

ଆମ ପିଲାମାନେ କଣ ଦେଖୁଛନ୍ତି ?

ବିଗତ ଦିନରେ ଆମେରିକାରେ ସଂଗଠିତ ଏକ ବିଭତ୍ସ ହତ୍ୟାକାଣ୍ଡରେ ନିଜ ମା’କୁ ମାରିଦେଇଥିବା ଅଭିଯୋଗରେ ଜଣେ ଝିଅକୁ ଗିରଫ କରାଗଲା୤ ସୂଚନାରୁ ଜଣାପଡ଼ିଥିଲା ଯେ ବର୍ଷେତଳେ ଜଣେ ମହିଳାଙ୍କୁ କେହି ଜଣେ ଗଳାକାଟି ହତ୍ୟା କରିଥିଲା ଏବଂ ଏହାର ସୂଚନା ସଂପୃକ୍ତ ମହିଳାଙ୍କ ଝିଅ ପୋଲିସକୁ ଦେଇଥିଲା, ସେ କହିଥିଲା ଯେ ଗୋରା ଦେଖାଯାଉଥିବା କେହିଜଣେ ବ୍ୟକ୍ତି ଘରେ ପଶି ତା ମାଆଙ୍କୁ ହତ୍ୟା କରିଛି୤ ପୋଲିସ ଅନେକ ଦିନଧରି ତଦନ୍ତ କରିବାପରେ ଶେଷରେ ମୃତ ମହିଳାଙ୍କ ଝିଅକୁ ଗିରଫ କରିଥିଲେ୤ 
ସଂପ୍ରତି ବିଶ୍ବରେ ବିପଦ ଭାବେ ଦେଖାଦେଇଥିବା ଆଇଏସଆଇଏସର ପ୍ରଭାବରେ ଝିଅଟି ନିଜ ମାଆକୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲା୤ ଝିଅଟିର ଲ୍ୟାପଟପକୁ ପରୀକ୍ଷା କରିବା ବେଳେ ସେଥିରେ ସେ ଆଇଏସଆଇଏସ ମାନେ ଲୋକଙ୍କୁ ଗଳାକାଟି ହତ୍ୟା କରୁଥିବାର ଭିଡ଼ିଓ ଦେଖିଥିବାର ପ୍ରମାଣ ମିଳିଲା୤ ଏହା ବ୍ୟତୀତ ଯେଉଁଦିନ ଏହି ହତ୍ୟାକାଣ୍ଡ ଘଟିଥିଲା ସେହିଦିନ ସନ୍ଧ୍ୟାରେ ଝିଅଟି ସେଇ ଭିଡ଼ିଓ ଅନେକଥର ଦେଖିଥିଲା୤ ଏହାପରେ ସେ ଗୋଟିଏ ପରିବା କଟା ଛୁରୀରେ ନିଜ ମାଆକୁ ଆକ୍ରମଣ କରି ଆଘାତ କରିଦେଇ ଗଳାକାଟି ହତ୍ୟା କରିଥିଲା୤ 

ଆଜିକାଲି ଆମ ପିଲାମାନେ ଟିଭି ଓ କମ୍ପ୍ୟୁଟରରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି୤ ଅନେକ ପିଲା ମୋବାଇଲରେ ନିଜେ ନିଜେ ବସି କଣ ସବୁ ଦେଖୁଛନ୍ତି ତାହା ଜାଣିବା ସମ୍ଭବ ହୋଇ ପାରୁନି୤ ପିଲାମାନେ ବହୁତ ଚତୁର ହେଲେଣି, ନିଜ ମୋବାଇଲରେ ସୁରକ୍ଷିତ ପାସୱାର୍ଡ଼ ବ୍ୟବହାର କରି ଏହା ଅନ୍ୟ କେହି ଯେମିତି ଦେଖି ନ ପାରିବ ସେଇ ବ୍ୟବସ୍ଥା ବି କଲେଣି୤ ସେଇଥିପାଇଁ ସେମାନେ କଣ ଦେଖୁଛନ୍ତି ବା ନାହିଁ, ତାହା ବିଷୟରେ ଆମେ ସଚେତନ ହେବା ଜରୂରୀ ହୋଇପଡ଼ିଛି୤ ବ୍ୟସ୍ତବହୁଳ ଜୀବନରେ ପରିବାର ପାଇଁ ସମୟ ବାହାର କରିବାର ଅଭାବ ଦେଖାଦେଲେ ଅନେକ ଅଭାବନୀୟ ପରିସ୍ଥିତି ଉପୁଜିପାରେ୤ ତେଣୁ ଆପଣଙ୍କ ଘରେ ଥିବା ସାନ ସାନ କୋମଳମତି ଶିଶୁମାନେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତାହା ବିଷୟରେ ସମୟ ସମୟରେ ଅନୁଧ୍ୟାନ କରିବା ଉଚିତ୤

ଦୋଷ କାହାର : ଆପଣ ହିଁ ଚିନ୍ତା କରନ୍ତୁ !

ବିଗତ ୮ ତାରିଖ ଦିନ ଛତିଶଗଡ଼ ରାଜ୍ୟର ତଖତପୁର ଜିଲ୍ଲା ଅନ୍ତର୍ଗତ ପେଣ୍ଡାରୀ ଗାଁରେ ଏକ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ୮୩ ଜଣ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା, ଏଥିରେ ୧୩ ଜଣ ମହିଳା ଅସ୍ତ୍ରୋପଚାର ପରେ ପରେ ମୃତ୍ୟୁବରଣ କରିଥିଲେ୤ ଏହାର ତଦନ୍ତ ହୋଇନଥିବା ବେଳେ ସରକାର ପ୍ରାଥମିକ ପଦକ୍ଷେପ ସ୍ବରୂପ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି୤ ଏହି କାର୍ଯ୍ୟକ୍ରମର କିଛି ତଥ୍ୟ :

୧. ଏହି କାର୍ଯ୍ୟକ୍ରମ କରିଥିବା ଡା ଗୁପ୍ତାଙ୍କୁ ଚଳିତ ବର୍ଷର ଜାନୁଆରୀ ୨୬ ତାରିଖ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ରମଣ ସିଂହ ୫୦,୦୦୦ ଲାପାରୋସ୍କୋପିକ୍ ସର୍ଜରୀ କରିଥିବା ହେତୁ ସମ୍ମାନିତ କରିଥିଲେ୤
୨. ମୃତା କୌଣସି ମହିଳାଙ୍କ ପୋଷ୍ଟମର୍ଟେମ୍ ରିପୋର୍ଟରେ ଅସ୍ତ୍ରୋପଚାରରେ ତୃଟି ହୋଇଥିବା କଥା କୁହାଯାଇନାହିଁ୤
୩. ଯଦି ଅସ୍ତ୍ରୋପଚାରରେ କୌଣସି ତୃଟି ହୁଏ ତେବେ ମଧ୍ୟ ରୋଗୀ ୪୮ ଘଣ୍ଟାପୂର୍ବରୁ ମୃତ୍ୟୁବରଣ କରିବା ଅତ୍ୟନ୍ତ ବିରଳ୤ ଚିକିତ୍ସା ପ୍ରଣାଳୀରେ ତୃଟି ରହିଲେ ତାହା ଆମ ତନ୍ତୁରେ ବ୍ୟାପୀ ପଚିଯାଇ ରୋଗୀ ମୃତ୍ୟୁବରଣ କରିପାରେ, କିନ୍ତୁ ଏହି ସବୁ ଘଟଣା ପାଇଁ ଅନ୍ୟୁନ ଦୁଇ ଦିନ ସମୟ ଲାଗିପାରେ୤
୪. କିଛି ଅନଭିଜ୍ଞ ବ୍ୟକ୍ତିମାନେ କହୁଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ଶରୀର ଭିତରର କୌଣସି ଗୁରୁତ୍ତ୍ବପୂର୍ଣ୍ଣ ଅଙ୍ଗକୁ ଆଘାତ ବାଜି ଏହି ଘଟଣା ଘଟିଥାଇପାରେ୤ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ଅବଗତି ପାଇଁ ଜଣାଇଦେଉଛି ଯେ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାରରେ ଅଭ୍ୟନ୍ତରୀଣ ଆଘାତ ପ୍ରାୟତଃ ହୁଏ ନାହିଁ, ଆଉ ଯଦି ବି ହୋଇଥାଏ, ତା’ହେଲେ ଏତେ ସଂଖ୍ୟକ ରୋଗୀଙ୍କ କ୍ଷେତ୍ରରେ ସମାନ ଆଘାତ ହେବା ଅସମ୍ଭବ୤
୫. କୌଣସି ପ୍ରକାରର ମେଡ଼ିକାଲ୍ ଚିକିତ୍ସାପରେ ଯଦି ରୋଗୀର ମୃତ୍ୟୁ ତୁରନ୍ତ ହୋଇଯାଏ, ତାହେଲେ ଏହାର ଏକ ମାତ୍ର କାରଣ ଔଷଧୀୟ ଅସୁବିଧା ହିଁ ହୋଇପାରେ୤ ଯେଉଁ ସବୁ ମହିଳାମାନେ ମୃତ୍ୟୁବରଣ କଲେ ସମ୍ଭବତଃ ସେମାନଙ୍କୁ ଦିଆଯାଇଥିବା ଔଷଧର କୌଣସି ରାସାୟନିକ ପ୍ରକ୍ରିୟା ହେତୁ ମୃତ୍ୟୁ ହୋଇଥିବା କଥା ବିଷେଶଜ୍ଞମାନେ ମତ ଦେଇଛନ୍ତି୤ ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ବ୍ୟବହାର ହୋଇଥିବା ଔଷଧ ସବୁ, ଜନୈକ ମନ୍ତ୍ରୀଙ୍କ ଜାମାତଙ୍କ ଦ୍ବାରା ଯୋଗାଇ ଦିଆଯାଇଥିଲା, ଆଉ ସେ ସବୁ ଔଷଧ ଜେନେରିକ ଔଷଧ ଥିଲା, ଯାହା ଯେଉଁ କମ୍ପାନୀରୁ ଅଣାଯାଇଥିଲା ତା’ର ନାଁ କେହି ଜାଣନ୍ତିନାହିଁ୤ ଜେନେରିକ୍ ଔଷଧର ବ୍ୟବହାରକୁ ପ୍ରୋତ୍ସାହନ କରୁଥିବା ଅମିର ଖାନ୍ ବର୍ତ୍ତମାନ ଏହି ଘଟଣା ପରେ କଣ ମନ୍ତବ୍ୟ ଦେଉଛନ୍ତି ତାହା ଦେଖିବାକୁ ରହିଲା୤ ଯେହେତୁ ଔଷଧ ଯୋଗାଣ ବ୍ୟବସ୍ଥାରେ ଥିବା ବ୍ୟକ୍ତି ମନ୍ତ୍ରୀଙ୍କ ଜାମାତା, ତେଣୁ ଔଷଧର ମାନ ନିର୍ଦ୍ଧାରଣ କରିବା ଏବଂ ପରୀକ୍ଷାନିରୀକ୍ଷା ସମୟରେ ରିପୋର୍ଟକୁ ବଦଳାଇ ଦିଆଯାଇପାରେ୤
୬. କିଛି ବ୍ୟକ୍ତି ଅଭିଯୋଗ କରନ୍ତି ଯେ ଜଣେ ଚିକିତ୍ସକ ଦିନରେ ସର୍ବାଧିକ ୧୦ଟି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିପାରିବ୤ ସେମାନଙ୍କ ଅବଗତି ପାଇଁ ଜଣାଇ ଦେଉଛି, ଯେ ଲାପାରୋସ୍କୋପିକ୍ ପ୍ରଣାଳୀରେ ଜଣେ ଚିକିତ୍ସକ ଦଶରୁ ଅଧିକ ସଂଖ୍ୟକ ବନ୍ଧ୍ୟାକରଣ କରିପାରେ୤ ଏବଂ ଭାରତରେ ମହିଳା ବନ୍ଧ୍ୟାକରଣକୁ ପ୍ରାଧାନ୍ୟ ଦିଆଯାଇ ପ୍ରତିବର୍ଷ ଅଗଣିତ ବନ୍ଧ୍ୟାକରଣ ଶିବିର ମାନ ଆୟୋଜନ କରାଯାଏ, ଏବଂ ଚିକିତ୍ସକମାନେ ଅଗଣିତ ମହିଳାଙ୍କ ବନ୍ଧ୍ୟାକରଣ କରନ୍ତି୤ ଏଥିପାଇଁ କୌଣସି ସୂଚନା ସରକାରୀ ଭାବରେ ଦିଆଯାଇ ନଥିଲା, ଯେହେତୁ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଜିଲ୍ଲା ଚିକିତ୍ସାଧିକାରୀ ସମେତ, ଜିଲ୍ଲାପାଳ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ସମେତ ଅନେକ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ, ଏବଂ ସେମାନେ ନିଶ୍ଚୟ ଭାବେ ଏହା ଜାଣିଥିଲେ ଯେ ଶିବିରକୁ ଆସିଥିବା ମହିଳା ମାନଙ୍କ ସଂଖ୍ୟା ଅଧିକ ଥିବା ବେଳେ ଚିକିତ୍ସକ କେବଳ ଜଣେ ଥିଲେ, ତା ହେଲେ ଶିବିରକୁ ବନ୍ଦ କରିଦିଆଗଲା ନାହିଁ କାହିଁକି ?

ଉପରୋକ୍ତ ସମସ୍ତ ତଥ୍ୟକୁ ପଢ଼ିବାପରେ ଯାହା ସ୍ପଷ୍ଟ ଭାବରେ ଜଣାପଡ଼େ ତାହା ହେଉଛି, ଏହି ସମସ୍ତ ଘଟଣାରେ ଡାକ୍ତରଙ୍କୁ ଅଭିଯୁକ୍ତ କରି ଉପସ୍ଥାପନ କରି ସମସ୍ତେ ନିଜ ଦୋଷ କେବଳ ଡାକ୍ତରଙ୍କ ମୁଣ୍ଡରେ ଲଦିଦେବାପାଇଁ ଚାହାନ୍ତି୤ ଯେତେବେଳେ ଏହା ସ୍ପଷ୍ଟ ଯେ ଏଥିରେ ଡାକ୍ତରଙ୍କ କୌଣସି ତୃଟି ଥିବାପରି ଲକ୍ଷଣ ଘଟଣାପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିନାହିଁ୤

ଘଟଣାର ଗମ୍ଭୀରତାକୁ ଦେଖିବାପରେ ସରକାର ତରବରିଆ ଭାବରେ ଡାକ୍ତରଙ୍କୁ ବରଖାସ୍ତ କରିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ ଥିଲା୤ ଏହି ପରି ଘଟଣାମାନ ଘଟିବାପରେ କୌଣସି ଡାକ୍ତର ଚିକିତ୍ସା କରିବାକୁ କାହିଁକି ଇଚ୍ଛା ପ୍ରକଟ କରିବ ?

ଶରୀରଂ ଆଦ୍ୟଂ

ବିଶ୍ବର ବିଭିନ୍ନ ଧର୍ମରେ ମନୁଷ୍ୟର ସତ୍ତାକୁ ନେଇ ଭିନ୍ନ ଭିନ୍ନ ଧାରଣା ରହିଥିବା ବେଳେ, ଅଧିକାଂଶ ସ୍ଥଳରେ ଶରୀର ଅପେକ୍ଷା ଆତ୍ମାକୁ ଅଗ୍ରାଧିକାର ଦିଆଯାଇଥିବା ଦେଖାଯାଏ I ବିଭିନ୍ନ ଧର୍ମରେ ଆତ୍ମାର ପୁନଃ ଜୀବନ୍ୟାସ କଥା ବି ଶୁଣିବାକୁ ମିଳେବସ୍ତୁଭାବରେ ଦେଖାଯାଇଛି I ଯାହାକୁ କେହି ବି ନଷ୍ଟ ୤ ଶରୀର ମାତ୍ର ବଦଳିଯାଏ, କିନ୍ତୁ ଆତ୍ମା ସର୍ବଦା ବିଦ୍ୟମାନ ରହେ୤

ହେଲେ ପାର୍ଥିବ ଜଗତରେ ଆତ୍ମା ଅପେକ୍ଷାର ଶରୀରକୁ ମହତ୍ତ୍ବ ଦିଆଯାଏ I ଆମ ସମ୍ମୁଖରେ ମସିଣା ଉପରେ ପଡ଼ିଥିବା ନିଶ୍ଚଳ ଶରୀରକୁ ଆମେ କୌଣସି ନାମ ନ ନେଇ କେବଳ ମରଶରୀର ବା ମଢ଼ ବୋଲି କହିଥାଉ୤ ଜୀବନ ଥିବା ବେଳେ ଯେଉଁ ପ୍ରାଣୀଟି କାହାର ମାଆ କାହାର ଭଉଣୀ କାହାର ଝିଅ ଥାଏ, ଶରୀରରୁ ଆତ୍ମାର ବିଦାୟ ହେଉ ହେଉ ତାହା ହୋଇଯାଏ ମାତ୍ର ଏକ ବସ୍ତୁ୤ ଯେଉଁ ଲୋକ ଜୀବନଥିବା ଅଜସ୍ର ଶକ୍ତିର ଅଧିକାରୀ ହୋଇଥାଏ ସେ ବି ମୃତୋପରାନ୍ତ ଇହଲୋକରୁ ପରଲୋକକୁ ଯାତ୍ରା କରିବାପାଇଁ ଚାରି କାନ୍ଧକୁ ଲୋଡ଼ିଥାଏ୤ 
କେତେ ଅସହାୟ ସତେ ଲାଗେ୤ ଯେଉଁ ପ୍ରାଣୀ ଜୀବନ୍ତ ଅବସ୍ଥାରେ ହଜାର ହଜାର ଲୋକଙ୍କ ସହାୟକ ହୋଇଥାଏ, ସେ ମୃତ୍ୟୁବରଣ କରିବାପରେ ନିଜେ ନିଜ ଶରୀରକୁ ଉଠେଇବା ପାଇଁ ମଧ୍ୟ ଅସହାୟ ହୋଇପଡ଼େ୤ ମରଣୋପରାନ୍ତ ଶରୀରକୁ ଦାହ କରିଦିଆଯାଏ, କିଛି ଲୋକଙ୍କୁ ତଥାପି ଲୋକ ମନେ ରଖନ୍ତି ଅଥଚ ଅନେକ ଅସହାୟ ନିଜର ମୃତ୍ୟୁସହିତ ନିଜ ପରିଚୟ ଓ ସତ୍ତା ହରାଇ ଦିଅନ୍ତି୤ ଅଦ୍ଭୁତ ଏ ସଂସାର୤ ନିଜ ପରିଜନଙ୍କୁ ହରାଇବାର ଦୁଃଖ କେବଳ ହୃଦୟଙ୍ଗମ ହିଁ କରିହୁଏ ସିନା, ତାହା ବ୍ୟକ୍ତ କରିହୁଏନି୤ ଜୀବନରେ ଦେଖାଦେଇଥିବା ଏକ ଅପୂରଣୀୟ କ୍ଷତି କେବେ ପୂର୍ଣ୍ଣ ହୁଏନି୤ ଅନେକ ଲୋକ ଆସନ୍ତି ସତ ହେଲେ ଆମ ଅତି ପରିଚିତ ସେଇ ଚେହେରା କେବେ ବି ଆଉ ଫେରି ଆସେନି୤ ଘରର କେଉଁ ଏକ କୋଣରେ କାନ୍ଥରେ ଏକ ଛବି ହୋଇ ନିଜ ଆସ୍ଥାନ କରେ୤ ହେଲେ ସେ ଆଉ ଫେରେନି୤

ଜୀବନରେ ଅନେକ ଦୁଃଖ ଆସେ, କ୍ରୋଧ, ରୋଷ ଅଭିମାନ ବି ହୁଏ, ଏହି ଅଭିମାନରେ ଅନେକ ସମ୍ପର୍କ ସମୟରୁ ପୂର୍ବରୁ ସମାପିତ ହୋଇଯାଏ ସତ ହେଲେ ହୃଦୟ କନ୍ଦରରେ ଜଳୁଥିବା ବହ୍ନି କେବେ ପ୍ରଶମିତ ହୁଏ ନାହିଁ୤ କେହି କେବେ ଫେରିଯାଇଥିବା ଲୋକଙ୍କୁ ଫେରାଇ ଆଣିନାହିଁ କି ଆଣିବ ନାହିଁ୤ ନିଜ ହୃଦୟକୁ ନିର୍ମଳ କର୤କାରଣ ଯେ ଆସିଛି ସେ ଫେରିବ ନିଶ୍ଚୟ୤ ଆତ୍ମାକୁ ଉପଲବ୍ଧି କରିବା ଭଳି ସାମର୍ଥ୍ୟ ଆମର ନାହିଁ, ହେଲେ ଶରୀର ଆମ ସମ୍ମୁଖରେ ଅଛି୤ ସଶରୀର ମନୁଷ୍ୟକୁ ଭଲ ପାଅ୤ କାରଣ ଏ ଶରୀର ଚାଲିଗଲେ ଆଉ ଫେରିବନି୤ ଆଉ ଆତ୍ମା ??? ସେ ତ ଆମ ଅକ୍ତିଆରରେ ନାହିଁ...