Saturday, 19 September 2015

ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ?

ବିଗତ ଦଶନ୍ଧିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଲା, ଯାହା ଆମ ପରି ପୁରାତନ ଛାତ୍ରମାନଙ୍କ ପାଇଁ କୌଣସି ମ୍ୟାଜିକ୍ ଠାରୁ କମ ନଥିଲା୤ ପ୍ରଥମଥର ପାଇଁ ଶିକ୍ଷାକୁ ଆନନ୍ଦମୟ ଶିକ୍ଷା ବୋଲି ନାମ ଦିଆଗଲା୤ ଅର୍ଥାତ ଶିଶୁମାନେ ବିନା କୌଣସି ଦ୍ବିଧା ବା ପରିଶ୍ରମରେ ଆନନ୍ଦରେ ଶିକ୍ଷା ପାଇବେ୤ ଗାଁ ମାନଙ୍କରେ ଥିବା ସମସ୍ତ ବିଦ୍ୟାଳୟ କାନ୍ଥରେ ସୁନ୍ଦର ଚିତ୍ର ଦ୍ବାରା ଏହି ବାର୍ତ୍ତା ପ୍ରଚାର କରାଗଲା୤ ଏହାଫଳରେ ବେତ୍ରାଘାତ ଦେଇ ପାଠପଢ଼ାଉଥିବା ଶିକ୍ଷକମାନଙ୍କୁ ବେତ ଛାଡ଼ିବାକୁ ପଡ଼ିଲା୤ ବିଦ୍ୟାଳୟମାନଙ୍କରେ ଉପସ୍ଥାନ ବଢ଼ିବାକୁ ଲାଗିଲା ବୋଲି ସରକାରୀ ସ୍ତରରେ କୁହାଗଲା୤ ଅନେକ ବିଦ୍ୟାଳୟର ପ୍ରାଙ୍ଗଣକୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ବହୁ କଷ୍ଟକରି ସୁନ୍ଦର ଉପବନମାନ ତିଆରି କଲେ, ଏହି ଭିତ୍ତିରେ ବିଭିନ୍ନ ବିଦ୍ୟାଳୟକୁ ପୁରସ୍କୃତ ବି କରାଗଲା୤ ଅବଶ୍ୟ ଏହାଫଳରେ ଶିକ୍ଷକମାନଙ୍କ ଘର ପାଇଁ ଶାଗ, କଖାରୁ, ଜହ୍ନି, ଭେଣ୍ଡି, ଅମୃତଭଣ୍ଡା ଆଦି ମାଗଣାରେ ବି ମିଳିଲା୤

ଏହି ସମୟରେ ନିଶ୍ଚୟ ଭାବରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଥାଇପାରେ, କାରଣ ବିଦ୍ୟାଳୟରେ ପାଠପଢ଼ା ସହିତ ଖେଳକୁଦ, ବଗିଚାରେ କାମ ଆଦି କରିବାର ରୁଚି ହେତୁ ପିଲାମାନେ ବିଦ୍ୟାଳୟର ବାରଣ୍ଡାରେ ପାଦ ଦେଲେ୤ ଠିକ୍ ଏହି ସମୟରେ ସହରାଞ୍ଚଳରେ ଶିଶୁମାନେ ମଧ୍ୟ ଶିକ୍ଷାଗ୍ରହଣ କ୍ଷେତ୍ରରେ ଆଗଭର ଥିଲେ, ହେଲେ ସେମାନଙ୍କ ଶିକ୍ଷା କିନ୍ତୁ ଆନନ୍ଦମୟ ଥିଲା, ଏହା କହିବା ଅସମ୍ଭବ୤ ତିନି ଚାରିବର୍ଷର କୋମଳମତି ଶିଶୁମାନଙ୍କ ପିଠିରେ ପାଞ୍ଚ ଦଶ କିଲୋଗ୍ରାମର ବସ୍ତାନି ଲଦି ଦିଆଯାଇ ଶିକ୍ଷିତ କରିବାର ଯେଉଁ ପ୍ରୟାସ କନ୍‌ଭେଣ୍ଟ୍ ସ୍କୁଲମାନେ କଲେ, ଏହାଫଳରେ ଶିକ୍ଷା ଆନନ୍ଦମୟ କେମିତି ହେଲା ଜାଣିପାରିଲୁ ନାହିଁ୤

ଓଡ଼ିଆ ମାଧ୍ୟମ ଅର୍ଥାତ ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀ ସାଧାରଣତଃ ପାଞ୍ଚବର୍ଷ ବୟସରୁ ପାଠ ଆରମ୍ଭ କରୁଥିବା ବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ଦୁଇରୁ ତିନି ବର୍ଷର ଶିଶୁମାନଙ୍କୁ ନେଇ ପାଠପଢ଼ା ଆରମ୍ଭ ହେଉଛି୤ ପାଞ୍ଚବର୍ଷ ବୟସ ହେଲାବେଳକୁ ଏହି ସବୁ ଶିଶୁମାନେ ଇଂରାଜୀ, ହିନ୍ଦୀ ଏବଂ ସ୍ଥାନେ ସ୍ଥାନେ ଓଡ଼ିଆରେ ମଧ୍ୟ ପଢ଼ିବା ଓ ଲେଖିବା ଶିଖିଯାଉଛନ୍ତି୤ ଅବଶ୍ୟ ବୌଦ୍ଧିକ ବିକାଶ ଦିଗରେ ଏହା ବହୁତ ସାହାଯ୍ୟ କରିବ ତା ନିଃସନ୍ଦେହ ସତ୍ୟ, କିନ୍ତୁ ଏତେ କମ ବୟସରୁ ପିଲାମାନଙ୍କୁ ଶିକ୍ଷାଦାନ କରିବାପାଇଁ ଏତେ ଅଧିକ ପାଠ ପଢ଼ିବାକୁ ଦେବା କଣ ସେମାନଙ୍କ ଶୈଶବକୁ ନଷ୍ଟ କରୁନାହିଁ କି ? 

ଯଦିଓ ସରକାର ଆନନ୍ଦମୟ ଶିକ୍ଷାର ପ୍ରଚାର ପ୍ରସାରରେ କୌଣସି ଅଭାବ ରଖିନାହାନ୍ତି, ତଥାପି ଅନେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏବେ ବି ବେତର ପ୍ରଚାର ଓ ପ୍ରସାର ଚାଲିଛି୤ କିଛି ଶିକ୍ଷୟିତ୍ରୀ ତଥାପି ଛାତ୍ର ଛାତ୍ରୀଙ୍କୁ ଡରାଇ ଧମକାଇ ପାଠ ପଢ଼ାଉଥିବା ଦେଖାଯାଉଛି୤ ଏଥିପ୍ରତି ସରକାର କଣ ଧ୍ୟାନ ଦେଉଛନ୍ତି ? ସରକାରୀ ବିଦ୍ୟାଳୟ ମାନଙ୍କୁ ପରିଚାଳନ କରିବାପାଇଁ ଯେମିତି ସରକାରୀ ନିୟମମାନ ନିର୍ଦ୍ଧାରଣ କରାଯାଉଛି, ସେହିପରି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ ରହିଛି୤

ହସର ଉପକାରିତା

ମୁଁ ବାରମ୍ବାର ଏହି କଥା କହି ଆସୁଛି ଯେ ‘Laughter is the best medicine’ ଅର୍ଥାତ, ‘ହସିବା ସବୁଠାରୁ ଭଲ ଔଷଧ୤’ କିନ୍ତୁ ବାସ୍ତବ ଜୀବନରେ ଏହା କେତେଦୂର ସତ ତାହା କେହି ପରୀକ୍ଷା କରି ଦେଖିଛନ୍ତି କି ? ଜୀବନରେ ଶ୍ବାସକ୍ରିୟା ପରି ହସିବା ମଧ୍ୟ ଏକ ଅତ୍ୟାବଶ୍ୟକୀୟ କ୍ରିୟା ଯାହା ଆମର ଶରୀର ସହିତ ସ୍ବତଃପ୍ରବୃତ ଭାବରେ ଜନ୍ମ ନିଏ୤ ଆମକୁ କେହି ହସିବା ଶିଖାନ୍ତି ନାହିଁ୤ ଶିଶୁଟିଏ ଜନ୍ମହେବାର ତିନିମାସ ମଧ୍ୟରେ ଅନ୍ୟମାନଙ୍କୁ ଦେଖି ହସିବା ଆରମ୍ଭ କରିଦିଏ, ଏବଂ ଏହି ହସ ହିଁ ତା’ର ପ୍ରଥମ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ୤ ସେହି ହସରେ ସେ ନିଜ ମାଆ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହ ଯୋଗାଯୋଗ କରିପାରେ୤

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ସ୍ବାସ୍ଥ୍ୟର ସଂଜ୍ଞା ନିରୁପଣରେ ଯେଉଁ ସବୁ ଜିନିଷକୁ ପ୍ରାଧାନ୍ୟ ଦିଆଯାଇଛି, ସେ ସବୁକୁ ହସ ପ୍ରଭାବିତ କରିଥାଏ୤ ଶାରୀରିକ, ମାନସିକ ଓ ସାମାଜିକ ସ୍ବାସ୍ଥ୍ୟ ଯାହାର ସାମାନ୍ୟ ଥାଏ ସେ ହିଁ ସ୍ବାସ୍ଥ୍ୟବାନ ବୋଲି କୁହାଯାଏ୤ ଏବଂ ହସର ଏହି ସବୁ ଜିନିଷ ଉପରେ ବହୁତ ଅଧିକ ପ୍ରଭାବ ରହିଛି ବୋଲି ମୁଁ ବାରମ୍ବାର ମୋର ଅତୀତର ଆଲେଖ୍ୟମାନଙ୍କରେ କହି ଆସିଛି୤ ସବୁବେଳେ ହସୁଥିବା ବ୍ୟକ୍ତିମାନେ ମାନସିକ ଭାବେ ସୁସ୍ଥ ଏଥିରେ ଦ୍ବିମତ ନାହିଁ୤ ଏବଂ ମାନସିକ ସ୍ବାସ୍ଥ୍ୟର ପ୍ରଭାବ ଶରୀର ଉପରେ ଯଥେଷ୍ଟ ପରିମାଣର ରହିଛି୤ ଏବଂ ସାମାଜିକ ସ୍ବାସ୍ଥ୍ୟ ବା ପରିବେଶ ସହ କେମିତି ଖାପଖୁଆଇ ଚଳିବାକୁ ହେବ ସେ ବିଷୟରେ ଯେ ଜାଣେ ସେ ସବୁବେଳେ ଆନନ୍ଦରେ ରହିବ ହିଁ ରହିବ୤

ହସକୁ ଏକ ଅମୋଘ ଅସ୍ତ୍ର ଭାବରେ ସ୍ବାସ୍ଥ୍ୟର ଉନ୍ନତି ହେତୁ ବ୍ୟବହାର ପାଇଁ ବିଭିନ୍ନ ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚ ଗବେଷଣା ଚାଲୁ ରହିଛି୤ ଏବଂ ଆମ ଦେଶରେ ଅନେକ ହସ କ୍ଲବ ବା ଲାଫ୍‌ଟର କ୍ଲବ୍ ମାନ ଖୋଲି ଲୋକମାନଙ୍କୁ ପ୍ରାତଃ କାଳରେ ହସିବାର ବ୍ୟାୟାମମାନ ଶିଖାଯାଉଛି୤ ଏହି ସବୁ ଗବେଷଣାରୁ ଏହା ସିଦ୍ଧ ହୋଇଛି ଯେ ମାନସିକ ଭାବରେ ଦୁର୍ବଳ ବ୍ୟକ୍ତିମାନେ ମଧ୍ୟ ହାସ୍ୟ ଚିକିତ୍ସା ଦ୍ବାରା ସୁସ୍ଥ ଅନୁଭବ କରୁଛନ୍ତି୤ ଅବସରପ୍ରାପ୍ତ କର୍ମଚାରୀ, ବୃଦ୍ଧବୃଦ୍ଧାମାନେ ସାଧାରଣତଃ ମାନସିକ ଚାପର ଶିକାର ହୁଅନ୍ତି, ଏବଂ ଏହି ସବୁ ବ୍ୟକ୍ତିଙ୍କ କ୍ଷେତ୍ରରେ ହସ ଏକ ଅମୂଲ୍ୟ ଔଷଧତୁଲ୍ୟ୤ 
ଭେଷଜ ଚିକିତ୍ସା କ୍ଷେତ୍ରରେ ହୋଇଥିବା କିଛି ଗବେଷଣାରୁ ହସ ବିଷୟରେ ଯେଉଁ ସବୁ ନିଷ୍କର୍ସ ବାହାରିଛି ସେ ସବୁ ଏହିପରି ;

୧. ହସିବା ଦ୍ବାରା ଆମର ରୋଗ ପ୍ରତିଷେଧକ ଶକ୍ତିର ବିକାଶ ହୁଏ୤ ଏହା ଦ୍ବାରା ଆମ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ ଏବଂ ଟି-ସେଲ୍ ସଂଖ୍ୟାରେ ବୃଦ୍ଧି ହୋଇଥାଏ, ଯାହା ପ୍ରାକୃତିକ ଭାବରେ ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୁଏ୤
୨. ହସିବା ଦ୍ବାରା ହୃଦ୍‌ଘାତ ଜନିତ ସମସ୍ୟା ବହୁତ କମ ହୁଏ୤ ହସିବା ଫଳରେ ଶରୀରରେ ରକ୍ତ ସଂଚାଳନ ସୁରୁଖୁରୁରେ ହୁଏ ଏବଂ ଏହା ଫଳରେ ଉଚ୍ଚ ରକ୍ତଚାପ ଭଳି ରୋଗ ହୁଏ ନାହିଁ୤
୩. ହସିବା ଦ୍ବାରା ମାନସିକ ଚାପ ଦୁର ହୁଏ୤ ଉଚ୍ଚ ସ୍ବରରେ ହସିବା ଦ୍ବାରା ମାନସିକ ଚାପ ସୃଷ୍ଟିକରୁଥିବା ହର୍ମୋନ ଯଥା କର୍ଟିସୋଲ୍, ଏପିନେଫ୍ରିନ୍, ଡୋପାମିନ୍ ଆଦିର ମାତ୍ରା ଶରୀରରେ କମ ହୁଏ୤
୪. ମାନସିକ ଉତ୍ତେଜନାକୁ ହ୍ରାସ କରିବାରେ ସହାୟକ ହୁଏ ହସ୤ ଯେଉଁମାନେ ଦୀର୍ଘଦିନ ଧରି ମାନସିକ ବିଷାଦ ରୋଗାକ୍ରାନ୍ତ ସେମାନଙ୍କ କ୍ଷେତ୍ରରେ ଔଷଧ ଅପେକ୍ଷା ଅଧିକ ସୁଫଳ ଦେଇଥାଏ, ହସ୤ ଯେଉଁ ସବୁ ଘଟଣା, ଦୁର୍ଘଟଣା ଦେଖିଲେ ବିଷାଦ ହୁଏ ବା କ୍ରୋଧହୁଏ ସେ ସବୁକୁ ହସ ଦୂରେଇ ଦେଇପାରେ୤
୫. ହସିବା ଦ୍ବାରା ରକ୍ତଚାପ ସାମାନ୍ୟ ହୁଏ୤ ସେଇଥିପାଇଁ ଆମେରିକାର ଅନେକ ହାସପାତାଳରେ ଉଚ୍ଚରକ୍ତଚାପ ରୋଗୀମାନଙ୍କୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମମାନ ଦେଖିବାପାଇଁ ବ୍ୟବସ୍ଥା କରାଯାଉଛି୤
୬. ହସ ଏକ ପ୍ରାକୃତିକ କଷ୍ଟନିରୋଧି ଔଷଦ୤ ଗବେଷଣାରୁ ଏହା ଦେଖାଯାଇଛି ଯେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖୁଥିବା ବେଳେ ମନୁଷ୍ୟର କଷ୍ଟ ସହିବା ଶକ୍ତି ବଢ଼ିଯାଇଥାଏ୤
୭. ହସିବା ଦ୍ବାରା ପେଟ ଭିତରର ଅଙ୍ଗପ୍ରତ୍ୟଙ୍ଗ ସବୁ ହଲିଥାଏ, ଏବଂ ସେମାନଙ୍କ ରକ୍ତ ସଂଚାଳନ ବଢ଼ିଥାଏ୤ ଏହା ପ୍ରାକୃତିକ ଭାବରେ ପେଟର ଯନ୍ତ୍ରପାତିକୁ ମାଲିସ କରିଦେଇଥାଏ୤
୮. ଏକ ସଦ୍ୟପ୍ରାପ୍ତ ଗବେଷଣାରେ କୁହାଯାଇଛି ଯେ ଉଚ୍ଚରକ୍ତ ଶର୍କରା ଥିବା ରୋଗୀମାନେ ଯଦି ଖାଇବା ସମୟରେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମମାନ ଦେଖନ୍ତି, ସେମାନଙ୍କ ରକ୍ତରେ ଶର୍କରାର ମାତ୍ରା ସାମାନ୍ୟ ରହେ୤
୯. ସବୁବେଳେ ହସୁଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ କମ ବୟସ୍କ ଦେଖାଯାଆନ୍ତି୤ ହସିବା ଦ୍ବାରା ମୁଖମଣ୍ଡଳର ୧୫ଟି ମାଂସପେଶୀ ଏକା ସାଥିରେ କାମ କରନ୍ତି, ଏବଂ ରକ୍ତ ସଂଚାଳନ ବଢ଼ିଥାଏ୤
୧୦. ହସିବା ଦ୍ବାରା ମସ୍ତିଷ୍କ ଏବଂ ଶରୀରକୁ ଶକ୍ତି ମିଳିଥାଏ୤ ହସିବା ସମୟରେ ଦୀର୍ଘଶ୍ବାସ ହେଉଥିବା ଯୋଗୁଁ ଫୁସଫୁସ ଭିତରକୁ ଅଧିକ ପରିମାଣର ଅମ୍ଲଜାନ ପ୍ରବେଶ କରିଥାଏ୤
୧୧. ସବୁବେଳେ ହସୁଥିବା ବ୍ୟକ୍ତି ବିପଦ ଆପଦ ସମୟରେ ସହଜରେ ଭାଙ୍ଗିପଡ଼ନ୍ତି ନାହିଁ୤ ଏବଂ କଠିନରୁ କଠିନ ସମୟରେ ମଧ୍ୟ ସେ ହସିପାରନ୍ତି୤ ହସିବା ସମୟରେ ମସ୍ତିଷ୍କ ସଠିକ ଭାବରେ କାମ କରେ ଏବଂ ଅସୁବିଧାରୁ ବାହାରିବାର ଉପାୟ ଆପେ ଆପେ ବୁଝାପଡ଼ିଯାଏ୤
୧୨. ହସିବା ଏକ ବ୍ୟାୟାମ ଏବଂ ଏହା ଦ୍ବାରା ନିଦ୍ରାହୀନତା ରୋଗର ଶୀକାର ବ୍ୟକ୍ତିମାନେ ସୁନ୍ଦର ନିଦ୍ରା ପାଉଥିବା କଥା ଗବେଷଣାରୁ ଜଣାପଡ଼ିଛି୤
୧୩. ହସିବା ଦ୍ବାରା ଆମେ ପରସ୍ପର ସହ ବନ୍ଧନରେ ବାନ୍ଧି ହୋଇପାରୁଛେ୤ ହସ ଦ୍ବାରା ଶରୀରରୁ ଅକ୍ସିଟୋସିନ୍ ନାମକ ହର୍ମୋନ କ୍ଷରଣ ହୁଏ,  ଏବଂ ଏହି ହର୍ମୋନର ପ୍ରଭାବରେ ଲୋକମାନେ ଅନ୍ୟମାନଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରିଥାନ୍ତି୤
୧୪. ଏହା ଏକ ସଂକ୍ରାମକ ରୋଗ କହିଲେ ବି ଚଳିବ୤ ଜଣେ ହସିଲେ ପଣେ ହସିବେ ନ୍ୟାୟରେ, ଯଦି କୌଣସି ସ୍ଥାନରେ ଅନେକ ବ୍ୟକ୍ତି ଏକତ୍ରିତ ହୁଅନ୍ତି, ତେବେ ସେଠାରେ ହାସ୍ୟରସର ପରିବେଶ ସୃଷ୍ଟି ହୋଇଥାଏ୤

ଏହା ବ୍ୟତୀତ ଆହୁରି ଅନେକ ତଥ୍ୟ ରହିଛି, ଯାହା ବର୍ତ୍ତମାନ ଗବେଷଣାର ପରିଧିରେ ଲୁଚି ରହିଛି, ଧିରେ ଧିରେ ସେ ସବୁ ମଧ୍ୟ ବାହାରକୁ ଆସିବ, ଆଉ ଆମେ ଜାଣିବାକୁ ପାଇବା୤ ସେ ଯା’ହେଉ, ହସ ଯେ ଆମ ପାଇଁ ଲାଭଜନକ ତାହା ସମସ୍ତେ ଏକ ସ୍ବରରେ କହିବେ, ତେଣୁ ହସନ୍ତୁ ଓ ହସାନ୍ତୁ୤ ଜୀବନକୁ ମନଭରି ଉପଭୋଗ କରନ୍ତୁ୤

ବିଶ୍ବ ପଖାଳ ଦିବସ ୨୦୧୫ର ଅନୁଚିନ୍ତା

ପଖାଳ ଓଡ଼ିଆମାନଙ୍କ ଅତି ପ୍ରିୟ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ୤ ଖରାଦିନ ଆସିବା ପୂର୍ବରୁ ଅନେକ ଘରମାନଙ୍କରେ ପଖାଳର ବ୍ୟବହାର ବୃଦ୍ଧିପାଇଥାଏ୤ ସାଧାରଣତଃ ଭାତକୁ ପାଣିରେ ପକାଇ ଖାଇବାର ବିଧିକୁ ପଖାଳ ବୋଲି କୁହାଯାଏ, କିନ୍ତୁ ଏହାର ଭିନ୍ନ ଭିନ୍ନ ପ୍ରକାର ବି ରହିଛି, ଏବଂ ଓଡ଼ିଶା ସମେତ ପୂର୍ବୋତ୍ତର ରାଜ୍ୟସମୁହ ଯଥା ପଶ୍ଚିମ ବଙ୍ଗ, ଆସାମ, ଏବଂ ଛତିଶଗଡ଼ରେ ମଧ୍ୟ ପଖାଳ ଖିଆଯାଉଥିବାର ଉଦାହରଣ ରହିଛି୤ ଏହା ବ୍ୟତୀତ ଭାରତ ବାହାରେ ନେପାଳ ଏବଂ ବଙ୍ଗଳାଦେଶରେ ମଧ୍ୟ ପଖାଳର ଚାହିଦା ରହିଛି୤ 

ପଖାଳର ଲୋକପ୍ରିୟତାକୁ ଦେଖି କିଛି ଉତ୍ସାହୀ ଓଡ଼ିଆଙ୍କ ଆହ୍ବାନରେ ପ୍ରତିବର୍ଷ ମାର୍ଚ୍ଚମାସ ୨୦ ତାରିଖକୁ ବିଶ୍ବ ପଖାଳ ଦିବସ ଭାବରେ ପାଳନ କରାଯାଉଛି୤ ପଖାଳର ଆକ୍ଷରିକ ଅର୍ଥ ସଂସ୍କୃତ ଶବ୍ଦ ପ୍ରକ୍ଷାଳନ ବା ଓଡ଼ିଆ ଶବ୍ଦ ପଖାଳିବା (ଧୋଇବା) ରୁ ଅଣାଯାଇଥିବା କୁହାଯାଏ୤ ଅର୍ଜୁନ ଦାସ ( ୧୫୨୦ - ୧୫୩୦ ଖ୍ରୀଷ୍ଟାବ୍ଦ ) ଙ୍କ କବିତା ସଂଗ୍ରହ କଳ୍ପଲତାରେ ଏହାର ବ୍ୟବହାର ବିଷୟରେ ଉଲ୍ଲେଖ ରହିଛି୤ ସଠିକ ଭାବରେ କୁହାଯାଇ ପାରିବନାହିଁ ଯେ ପଖାଳ କେବେ ଆଉ କେମିତି ଓଡ଼ିଆ ମାନଙ୍କ ଖାଦ୍ୟରେ ସଂପୃକ୍ତ ହୋଇଥିଲା୤ କିନ୍ତୁ ଏହା ପୁରୀ ଶ୍ରୀ ଜଗନ୍ନାଥଙ୍କ ଭୋଗରେ ଲାଗୁଥିବା କଥା ଆମେ ଇତିହାସରୁ ଜାଣିବାକୁ ପାଉ୤  ଦକ୍ଷିଣପୂର୍ବ ଏସିଆର ସମସ୍ତ ଦେଶ ବିଶେଷତଃ ଧାନ ଅମଳ ଉପରେ ନିର୍ଭର କରନ୍ତି ଏବଂ ଭାତର ବ୍ୟବହାର ସମସ୍ତ ଦେଶରେ ଦେଖାଯାଏ୤ ହୁଏତ ବାସି ଭାତକୁ ଆଗାମୀ ଦିନରେ ଖାଇବା ଯୋଗ୍ୟ କରି ରଖିବାପାଇଁ ସେଥିରେ ପାଣିଦେଇ ରଖିବା ପରଠାରୁ ପଖାଳ ଖାଇବାର ଆରମ୍ଭ ହୋଇଥାଇପାରେ ବୋଲି ଆମେ ଅନୁମାନ କରୁ୤
ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ ବହୁତ ସହଜ୤ ଯଦି ଆପଣ ସଜ ପଖାଳ ଖାଇବାକୁ ଚାହାନ୍ତି, ତେବେ ଗରମ ଭାତକୁ କଂସାରେ ନେଇ ସେଥିରେ ପାଣି ପକାଇ ଆବଶ୍ୟକ ଅନୁସାରେ ଲୁଣ ଏବଂ ଲେମ୍ବୁ କିମ୍ବା ଦହି ପକାଇ ଖାଇପାରିବେ୤ ଆଉ ଯଦି ବାସିପଖାଳ ଖାଉଥାନ୍ତି, ତେବେ ବାସି ଭାତରେ ଦହି କିମ୍ବା ଅନ୍ୟ ସାମଗ୍ରୀ ମିଶେଇ ଖାଇ ପାରିବେ୤

ପଖାଳରେ ପୁଣି ବିବିଧତା ଦେଖାଦେଉଛି୤ ଅନେକ ପ୍ରକାରର ପଖାଳ ଦେଖିବାକୁ ମିଳିଲାଣି୤ ଖରାଦିନମାନଙ୍କରେ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ବିଭିନ୍ନ ହୋଟେଲ ଏବଂ ଭୁବନେଶ୍ବରର କିଛି ତାରକା ହୋଟେଲରେ ମଧ୍ୟ ପଖାଳ ମିଳୁଥିବା କଥା ଆମେ ଜାଣିବାକୁ ପାଇଲୁଣି୤ ବ୍ରହ୍ମପୁର ସହରରେ ବିଭିନ୍ନ ହୋଟେଲ ସାମନାରେ ପଖାଳ ମିଳୁଥିବା କଥା ସେମାନେ ଉଲ୍ଲେଖ କରିଛନ୍ତି୤ ମାତ୍ର ପନ୍ଦରରୁ କୋଡ଼ିଏ ଟଙ୍କାରେ ପଖାଳ ଖାଇବାକୁ ମିଳୁଛି୤

ପ୍ରଥମ ଉଡ଼ନ୍ତାକାର ୨୦୧୭ରେ ବଜାରରେ ମିଳିବ

ଏକ ଆଶ୍ଚର୍ଯ୍ୟଜନକ ଉଦ୍‌ଭାବନ, ଦୁଇଜଣ ବସିବା କ୍ଷମତା ସମ୍ପନ୍ନ ଉଡ଼ିପାରୁଥିବା କାର୍ ୨୦୧୭ ମସିହାରେ ବଜାରରେ କ୍ରୟ ହେତୁ ଉପଲବ୍‌ଧ ହେବ ବୋଲି ସୂଚନା ମିଳିଛି୤ ଏହା ଫଳରେ ଆମର ଯାତାୟାତ ଅନେକାଂଶରେ ପ୍ରଭାବିତ ହୋଇପାରିବ୤

ଚେକୋସ୍ଲୋଭାକିଆରେ ନିର୍ମିତ ଏହି ଯାନ ଭୂମି ଉପରେ ୧୬୦ କିମି ବେଗରେ ଗତି କରିବା ସହିତ ଆକାଶରେ ୨୦୦ କିମି ବେଗରେ ଉଡ଼ିପାରିବ୤

ଓହ୍ଲାଇବାପାଇଁ ଏହି କାରକୁ କୌଣସି ସ୍ବତନ୍ତ୍ର ରନ୍‌ୱେ ର ଆବଶ୍ୟକତା ରହିବ ନାହିଁ, ମାତ୍ର ୧୫୦ ଫୁଟ ରାସ୍ତାରେ ଏହା ସହଜରେ ଆକାଶରୁ ଭୂମିଉପରକୁ ଓହ୍ଲାଇ ଆସିପାରିବ୤ ଏବଂ ଗୋଟିଏ ଥରରେ ଏହା ପାଖାପାଖି ୭୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ୤
ୟୁରୋପ ସମେତ ବିଶ୍ବର ଯେ କୌଣସି ଦେଶରେ ଏହି ଯାନର ବ୍ୟବହାର ହୋଇପାରିବ୤ ଭୂମିରୁ ଉଠିଆକାଶରେ ଉଡ଼ିବା ପାଇଁ ଏହି କାରକୁ ମାତ୍ର ୭୫୦ ଫୁଟ୍ ଦୈର୍ଘ୍ୟ ବିଶିଷ୍ଟ ଗହଳି ନଥିବା ରାସ୍ତାର ଆବଶ୍ୟକତା ପଡ଼ିବ୤ ଏହି କାରର ନିର୍ମାତାଙ୍କ ମତରେ ଏହି କାର ବଜାରରେ ଉପଲବ୍‌ଧ ହେଲେ ଲୋକମାନଙ୍କ ବ୍ୟକ୍ତିଗତ ଯାତାୟାତରେ ବହୁ ପ୍ରଭାବ ପଡ଼ିବ୤

ଏରୋମୋବିଲ୍ ନାମକ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ୟୁରାଜ୍ ଭାକୁଲିକ୍‌ କହିଛନ୍ତି, ‘ବର୍ଷ ୨୦୧୭ ସୁଦ୍ଧା ଆମେ ଏହି ପରୀକ୍ଷାମୂଳକ କାରକୁ ବ୍ୟବସାୟିକ ଭିତ୍ତିରେ ବଜାର ପ୍ରବେଶ କରାଇପାରିବୁ୤’

ଆମକୁ କୌଣସି ବିମାନଘାଟିର ଆବଶ୍ୟକତା ନାହିଁ୤ ଯଦି ଉଡ଼ିବା ଭଳି କ୍ଷମତା ଥିବା କାର ବଜାରରେ ମିଳିବ ତା ହେଲେ ଏହା ଦ୍ବାରା ଉପଭୋକ୍ତାମାନଙ୍କ ମଧ୍ୟରେ ଏହି ପ୍ରକାରର ଯାନ ପ୍ରତି ଆକର୍ଷଣ ନିଶ୍ଚୟ ବଢ଼ିବ୤’ ସେ କହିଛନ୍ତି୤
କମ୍ପାନୀ ବର୍ତ୍ତମାନ ଏହି ଯାନକୁ ପ୍ରସ୍ତୁତ କରିବାର ଶେଷ ସୋପାନରେ ରହିଛି୤ ଏଥିପାଇଁ ବିସ୍ତ୍ରୁତ ପରୀକ୍ଷାନିରୀକ୍ଷା ମଧ୍ୟ ସରିଛି୤ ଉଭୟ କାର ଓ ଉଡ଼ାଯାହାଜ ପାଇଁ ଆବଶ୍ୟକ ସମସ୍ତ ନିୟାମକକୁ ସଠିକ ଭାବରେ ଦୃଷ୍ଟିରେ ରଖି ଏହି ଯାନକୁ ନିର୍ମାଣ କରାଯାଇଛି ବୋଲି ଭାକୁଲିକ୍ କହିଛନ୍ତି୤

ଏହି କାରରେ ଅଟୋପାଇଲଟ୍ (ସ୍ବୟଂଚାଳିତ) ବ୍ୟବସ୍ଥା ସମେତ ଆପଦକାଳୀନ ସ୍ଥିତିରେ ଆବଶ୍ୟକୀୟ ପାରାଚୁଟ୍ ବ୍ୟବସ୍ଥା ମଧ୍ୟ ରହିଛି୤ ଏବଂ କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଯାନ ବଜାରରେ ଉପଲବ୍‌ଧ ହେବାପରେ ଲୋକମାନଙ୍କ ଯାତାୟାତରେ ବହୁତ ସୁବିଧା ହେବ୤ ଏହି କାରର ଏକ ଚଳନକ୍ଷମ ନକଲ (Working Prototype Model) ମାତ୍ର ଦଶମାସରେ ନିର୍ମାଣ କରାଯାଇଛି୤ କାରର ସସ୍‌ପେନସନ୍‌କୁ ଉଚ୍ଚକ୍ଷମତା ସମ୍ପର୍ନ୍ନ କରାଯାଇଛି, ଯାହା ଦ୍ବାରା ଏହି କାର ଯେକୌଣସି ଆବୁଡ଼ାଖାବୁଡ଼ା ରାସ୍ତାରୁ ଉଠି ଆକାଶରେ ଉଡ଼ିପାରିବ୤

ତଥାପି ଏହି କାରର ବ୍ୟବହାରକୁ ନେଇ ବିଭିନ୍ନ ଦେଶରେ ଅଲଗା ଅଲଗା କଟକଣା ରହିଥିବାରୁ ବର୍ତ୍ତମାନ ଏହା କେବଳ ୟୁରୋପରେ ହିଁ ବିକ୍ରୀ କରାଯାଇପାରିବ ବୋଲି ଭାକୁଲିକ୍ କହିଛନ୍ତି୤ ସମ୍ବାଦଭିତ୍ତିକ ୱେବ୍‌ସାଇଟ୍ metro.co.ukକୁ ଦିଆଯାଇଥିବା ଖବରରେ କମ୍ପାନୀ ଦ୍ବାରା ଏହି କାରର ବଜାର ପ୍ରବେଶ ସମ୍ବନ୍ଧୀୟ ସୂଚନା ଦିଆଯାଇଛି, କିନ୍ତୁ ଏହା କେଉଁ ତାରିଖରେ ବିକ୍ରୟ ନିମନ୍ତେ ଉପଲବ୍‌ଧ ହେବ ଏବଂ ଏହାର ଦାମ କେତେ ରହିବ, ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ୤

ଉତ୍କଳ ଦିବସର ପ୍ରକୃତ ଉପହାର

ଓଡ଼ିଶା ସ୍ବାଧୀନ ହୋଇଥିଲା ୧୯୩୬ ମସିହାରେ ଏବଂ ବର୍ତ୍ତମାନ ୨୦୧୫ ମାନେ ପ୍ରାୟ ଅଶି ବର୍ଷ ବିତିଗଲାଣି୤ ହେଲେ ଏତେ ବର୍ଷରେ କଣ ପରିବର୍ତ୍ତନ ହୋଇଛି ? ଆମ ରାଜ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି, ଆମେ ବି ପିଲାଦିନୁ ଖଣି, ଖଦାନ, କୋଲିଆରୀ କଥା ଶୁଣି ଶୁଣି ବଡ଼ ହୋଇଛୁ୤ ସ୍କୁଲରେ ପଢୁଥିବା ବେଳେ ଆମ ଶିକ୍ଷକମାନେ ଆମକୁ କହିଥିଲେ ଦିନ ଆସିବ ଓଡ଼ିଶାରେ ସୁନା ଫଳିବ, ଆମ ମାଟି ଭାରି ଉର୍ବର, ଭଲ ଚାଷବାସ ହୁଏ୤ ଖୋଳିଲେ ଖଣିଜ ମିଳେ, ଖୋଜିଲେ ଅଜସ୍ର ବନସମ୍ପଦ ମିଳେ, ଉପକୂଳ ୪୫୦ କିମିରୁ ଅଧିକ, ସାମୁଦ୍ରିକ ଦ୍ରବ୍ୟର ପ୍ରଚୁରତା ଏଠି୤ ହେଲେ ଅଶିବର୍ଷ ପରେ ଏବେ ବି ଆମ ରାଜ୍ୟର ଲୋକଙ୍କୁ ଏକ ଟଙ୍କିଆ ଚାଉଳ ଆଉ ପାଞ୍ଚ ଟଙ୍କିଆ ଭାତଡାଲମା ଦରକାର ପଡୁଛି କାହିଁକି ? ରାଜ୍ୟ ସରକାର ରୋଜଗାର ପାଇଁ ଭିତ୍ତିଭୂମି ବୃଦ୍ଧି ନକରି, ଲୋକଙ୍କୁ ମାଗଣାରେ ଏହି ସବୁ ଜିନିଷ ଦେଇ ଦେଇ ଦିନକୁ ଦିନ ଆମ ଲୋକଙ୍କୁ କର୍ମକୋଢ଼ିଆ କରାଇ ଦେଉନାହାନ୍ତି କି ?
ଚାଷବାସ କରିବାପାଇଁ କୁଶଳୀ କାରିଗର ନାହାନ୍ତି, ଗାଁଗଣ୍ଡାରେ ସମସ୍ତେ ବିପିଏଲ୍ ପରିବାର ବୋଲି ନିଜକୁ ସିଦ୍ଧ କରିସାରିଲେଣି୤ ମାସିକ ୩୫ କେଜି ଚାଉଳ ମାତ୍ର ଏକ ଟଙ୍କା ହିସାବରେ ପାଉଛନ୍ତି ଯେତେବେଳେ ସେମାନେ ଆଉ କାମ କରିବାକୁ ଯିବେ କାହିଁକି ? ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ଘରକୁ ବିଜୁଳି ମିଳୁଛି, ଇନ୍ଦିରା ଆବାସ ଯୋଜନାରେ ଘର ମିଳୁଛି, ଏମନରେଗାରେ କିଛି କିଛି କାମ ମିଳିଯାଉଛି୤ ବାସ ତା ହେଲେ ଆଉ କୌଳିକ ବୃତ୍ତିକରିବା କାହିଁକି ? ଗାଁ ଗଣ୍ଡାରେ ଯେଉଁ କିଛିଲୋକଙ୍କ ପାଖରେ ଚାଷଜମି ଅଛି ସେମାନେ ଚାଷ କରିବାପାଇଁ ଚଷା ପାଉନାହାନ୍ତି, ଧାନ ରୋଇବା ହେଉ ବା କାଟିବା ହେଉ, ଜମି ହଳ କରିବା ହେଉ, କୌଣସି କାମ ପାଇଁ ଲୋକ ମିଳୁନାହାନ୍ତି୤
ଏହିପରି ଅବସ୍ଥାରେ ବର୍ତ୍ତମାନ ସରକାରଙ୍କ ସଦ୍ୟ ପ୍ରସ୍ତୁତି ପାଞ୍ଚଟଙ୍କାରେ ଭାତ ଡାଲମା ପୁଣି ଥରେ ଆମ ରାଜ୍ୟର ଅର୍ଥନୀତିକୁ ପ୍ରଭୂତ କ୍ଷତି ନିଶ୍ଚୟ ଘଟାଇବ ଏଥିରେ ଦ୍ବିମତ ନାହିଁ୤ ସହରାଞ୍ଚଳରେ ରହୁଥିବା ଗରିବ ଶ୍ରେଣୀ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରିଛନ୍ତି ଆମ ସରକାର୤ ପ୍ରତିଦିନ ଦ୍ବିପହର ୧୧ଟାରୁ ସନ୍ଧ୍ୟା ୩ଟା ପର୍ଯ୍ୟନ୍ତ ମାତ୍ର ପାଞ୍ଚ ଟଙ୍କାରେ ଭାତ ଓ ଡାଲମା ଖାଇବାକୁ ଦେବା ବ୍ୟବସ୍ଥା କରାଯାଇଛି୤ ଅନ୍ୟ ସହର ମାନଙ୍କ କଥା ମୁଁ ଜାଣେନି, ହେଲେ ଖୋଦ୍ ବ୍ରହ୍ମପୁର ସହର ଭିତରେ ଚାରୋଟି ସ୍ଥାନରେ ଏହି ବ୍ୟବସ୍ଥା ହୋଇଛି୤ ଏହା ଫଳରେ ଯେଉଁ କେତେଜଣ କର୍ମକୋଢ଼ିଆ ସରକାର ସୃଷ୍ଟି କରିଛନ୍ତି ସେମାନେ ନିଶ୍ଚୟ ଭାବେ ଉପକୃତ ହେବେ, ହେଲେ ଏହାର ସୁଦୂରପ୍ରସାରି ପ୍ରଭାବ କଥା କେହି ଚିନ୍ତା କରିନାହାନ୍ତି୤
ସାଧାରଣତଃ ବ୍ରହ୍ମପୁର ସହରରେ ହୋଟେଲ ମାନଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ସହର ତୁଳନାରେ ବହୁତ ଅଧିକ୤ ଯେକୌଣସି ବ୍ୟକ୍ତି ନିର୍ଦ୍ବନ୍ଦରେ ମାନିବ ଯେ ବ୍ରହ୍ମପୁରରେ ଖାଇବା ଜିନିଷ ବହୁତ ଶସ୍ତା ଓ ସହଜରେ ଉପଲବ୍‌ଧ୤ ମାତ୍ର ପଚିଶିରୁ ତିରିଶି ଟଙ୍କାରେ ଖାଇବାକୁ ଲୋକମାନେ ପାଉଥିଲେ, ଏହା ଦ୍ବାରା ଲୋକମାନେ ବି ଉପକୃତ ହେଉଥିଲେ ଏବଂ ଏହି ବ୍ୟବସାୟ ଦ୍ବାରା ଅନେକ ବ୍ୟାପାରୀ ମଧ୍ୟ ନିଜର ଜୀବିକାନିର୍ବାହ କରୁଥିଲେ, ହେଲେ ପାଞ୍ଚଟଙ୍କିଆ ଆହାର ଆସିବା ପରେ ଲୋକମାନେ ଆଉ କେହି ଏହି ଛୋଟ ହୋଟେଲ ମାନଙ୍କୁ ଯିବେନାହିଁ୤ ବ୍ରହ୍ମପୁର ସହରର ରେଳୱେ ଷ୍ଟେସନ, ପୁରୁଣା ଓ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଅନେକ ହୋଟେଲ ଏହାଦ୍ବାରା ନିଶ୍ଚୟ ଭାବେ ପ୍ରଭାବିତ ହେବେ ହିଁ ହେବେ୤ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିବ ହିଁ୤ ଏହି ବିଷୟରେ କେହି ଚିନ୍ତା କରିଛନ୍ତି କି ?
ପିଲାଦିନେ ବାପା କହୁଥିଲେ, “ପିଲାକୁ ନିଜ ହାତରେ ଖାଇବା ଶିଖାଅ, ନହେଲେ ସେ ସବୁବେଳେ ତୁମ ଉପରେ ନିର୍ଭରଶୀଳ ହୋଇ ରହିଯିବ”୤ ଆମ ସରକାର ଠିକ୍ ତାହାର ବିପରୀତ କାମ କରୁଛନ୍ତି, ଲୋକଙ୍କୁ କର୍ମନିଯୁକ୍ତି ନଦେଇ ସେମାନଙ୍କୁ ମାଗଣାରେ ଖାଇବା ବ୍ୟବସ୍ଥା କରିଦେଇ ସେମାନଙ୍କ କାମ କରିବାର ଇଚ୍ଛାକୁ ବି ମାରିଦେବାକୁ ବସିଛନ୍ତି୤ ଦିନ ଆସିବ ଆଉ କେହି ବି ଦିନ ମଜୁରିଆ ମିଳିବେ ନାହିଁ, ଯେଉଁମାନେ ମିଳିବେ ସେମାନେ ମନଇଚ୍ଛା ଦାମ କହିବେ୤ ଅବସ୍ଥା ଦିନକୁ ଦିନ ଖରାପ ହିଁ ହେବ ସିନା ଆମ ଜାତି ଉନ୍ନତି କରିବ ନାହିଁ୤ 
ସରକାରଙ୍କୁ ନିବେଦନ ମୁହଁକୁ ଦାନା ନ ଦେଇ ହାତକୁ କାମ ଦିଅନ୍ତୁ ଯାହା ଦ୍ବାରା ଜଣେ ସ୍ବାବଲମ୍ବୀ ହୋଇପାରିବ ଏବଂ ନିଜେ ନିଜର ଆଉ ପରିବାରର ପରିପୋଷଣ କରିବାକୁ ସକ୍ଷମ ହେବ୤ ଦେଶ ସମୃଦ୍ଧ ହେବ୤ ଏହା ହିଁ ହେବ ପ୍ରକୃତ ଉତ୍କଳ ଦିବସର ଉପହାର୤

ଆସ ଜାଣିବା ଆମ ଓଡ଼ିଶା ବିଷୟରେ

ସ୍ବତନ୍ତ୍ରଉତ୍କଳ ପ୍ରଦେଶ ଭାରତୀୟ ଉପମହାଦ୍ବୀପର ଦକ୍ଷିଣ-ପୂର୍ବ କୋଣରେ ଅବସ୍ଥିତ ଏକ ରାଜ୍ୟ୤ ଉତ୍ତରରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା, ପଶ୍ଚିମରେ ଛତିଶଗଡ଼ ଓ ପୂର୍ବରେ ବଙ୍ଗୋପସାଗରଦ୍ବାରା ପରିବେଷ୍ଠିତ ଆମ ରାଜ୍ୟ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏକ ରାଜ୍ୟ୤ ଭାରତରେ ଥିବା ୨୯ଟି ରାଜ୍ୟମଧ୍ୟରେ ସ୍ଥଳଭାଗର କ୍ଷେତ୍ରଫଳ ହିସାବରେ ଦେଶରେ ନବମ ବଡ଼ରାଜ୍ୟ ହେଉଛି ଓଡ଼ିଶା୤ ଓଡ଼ିଆ ହେଉଛି ଆମ ରାଜ୍ୟର ରାଜ୍ୟଭାଷା୤

ଆମ ରାଜ୍ୟର ଅତୀତ ଅତ୍ୟନ୍ତ ଗୌରବମୟ୤ ଯେଉଁ ରାଜ୍ୟରେ ଦେବତା ମନୁଷ୍ୟରୂପରେ ଆସି ଲୀଳାଖେଳ କରୁଛନ୍ତି ସେହି ରାଜ୍ୟ ଅତୀତରେ ଥିଲା ଅପରାଜେୟ୤ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କଳିଙ୍ଗ ସମ୍ରାଜ୍ୟ ଅତୀତରେ ଭାରତର ଏକ ପ୍ରମୁଖ ରାଜ୍ୟଥିଲା୤ ୨୬୧ ଖ୍ରୀଷ୍ଟପୂର୍ବରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ନରସଂହାର ଫଳରେ ଏହି ରାଜ୍ୟର ପତନ ଘଟିଥିଲା ଏବଂ ଏହାପରେ ଯାହା ରହିଯାଇଥିଲା ତାହା ବର୍ତ୍ତମାନର ଓଡ଼ିଶା କହିଲେ ଅତ୍ୟୁକ୍ତି ହେବନାହିଁ୤ କେବଳ ଭାଷା ଭିତ୍ତିକ ରାଜ୍ୟ ଭାବରେ ଜନ୍ମ ନେଇଥିବା ଓଡ଼ିଶା ପରାଧୀନ ଭାରତରେ ଏକ ଅଞ୍ଚଳ ଭାବରେ ସ୍ବାଧୀନତା ପାଇଥିଲା ଅପ୍ରେଲ ୧ ତାରିଖ ୧୯୩୬ ମସିହାରେ, ସେହି ଦିନରୁ ଏହି ଦିବସକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି୤ ଯଦିଓ ଆମ ରାଜ୍ୟର ନାମ ଓଡ଼ିଶା ତଥାପି ଆମ ଇତିହାସରେ ଏହାକୁ ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ ଭାବରେ ବ୍ୟାଖ୍ୟା କରାଯାଇଛି୤ ଏହା ଭାରତର ରାଷ୍ଟ୍ରୀୟ ସଙ୍ଗୀତ (ଜନ ଗଣ ମନରେ) ରେ ମଧ୍ୟ ଉଲ୍ଲେଖ ରହିଛି୤ ୧୧୩୫ ଖ୍ରୀଷ୍ଟାବ୍ଦରେ ମହାରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଉତ୍କଳକୁ ରାଜୁତି କରୁଥିବା ସମୟରେ କଟକକୁ ନିଜର ରାଜଧାନୀ ଭାବରେ ଘୋଷଣା କରିଥିଲେ ଯାହା ଦୀର୍ଘ ଅନେକ ଶତାବ୍ଦୀ ଧରି ଓଡ଼ିଶାର ରାଜଧାନୀ ହୋଇ ରହିଥିଲା୤ ୧୯୪୮ ମସିହାରେ ଏହାକୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା୤

ଓଡ଼ିଶାର ନାମକରଣ ବିଷୟରେ ଅନେକ ତଥ୍ୟ ଗବେଷଣାକାରଙ୍କ ପାଖରେ ଉପଲବ୍ଧ ରହିଛି୤ ଅତୀତରେ ଓଡ଼ିଶାକୁ ଉଡ୍ର ଦେଶ ବୋଲି କୁହାଯାଉଥିବା କଥା ଅନେକ କଥାସାହିତ୍ୟରେ ଦେଖିବାକୁ ମିଳେ୤ ପାଲି ଭାଷାରେ ଏହି ରାଜ୍ୟର ପ୍ରଜାଙ୍କୁ ଓଡ଼କ ବୋଲି କୁହାଯାଉଥିବା କଥା ଦେଖିବାକୁ ମିଳେ୤ ଶାରଳା ଦାସ ଓଡ଼ିଆ ମହାଭାରତରେ ଆମ ରାଜ୍ୟର ନାମ ଓଡ଼୍ର ରାଷ୍ଟ୍ର ବା ଓଡ଼ିଶା ବୋଲି ଉଲ୍ଲେଖ କରିଛନ୍ତି୤ ସେହିପରି ଗଜପତି ବଂଶଜ ରାଜା କପିଳେନ୍ଦ୍ରଦେବ (୧୪୩୫-୬୭ ମସିହା) ପୁରୀ ଶ୍ରୀମନ୍ଦିର ବେଢ଼ାରେ ଥିବା ଅନେକ ଲିପିରେ ଏହି ଅଞ୍ଚଳକୁ ଓଡ଼ିଶା ବା ଓଡ଼ିଶା ରାଜ୍ୟ ବୋଲି ଉଲ୍ଲେଖ କରିଛନ୍ତି୤

ଓଡ଼ିଶା ରାଜ୍ୟ ବିଷୟରେ ଅତୀତର ମହାଗ୍ରନ୍ଥ ମହାଭାରତ, ବାୟୁପୁରାଣ ଏବଂ ମହାଗୋବିନ୍ଦ ସୁତ୍ତାନ୍ତରେ ଉଲ୍ଲେଖ ରହିଛି୤ ଓଡ଼ିଶାର ଶବର ଜାତିର ଲୋକଙ୍କ ବିଷୟରେ ମହାଭାରତରେ ଉଲ୍ଲେଖ ରହିଛି୤ ଇତିହାସ କୁହେ ମୌର୍ଯ୍ୟ ସମ୍ରାଟ ଅଶୋକ ଉତ୍କଳକୁ ଜୟ କରିବା ଆଶାରେ କରିଥିବା ଯୁଦ୍ଧରେ ଅନ୍ୟୁନ ଦଶ ଲକ୍ଷ ଓଡ଼ିଆ ପ୍ରାଣ ହରାଇଥିବା ବେଳେ ପନ୍ଦର ଲକ୍ଷ ଓଡ଼ିଆଙ୍କୁ ସେ ପଣବନ୍ଦୀ କରି ରଖିଥିଲେ୤ ଏହି ବିଶାଳ ଯୁଦ୍ଧକୁ ଆମେ କଳିଙ୍ଗ ଯୁଦ୍ଧ ବୋଲି କୁହାଯାଏ୤ ଯୁଦ୍ଧର ବିଭିଷୀକା ଏତେ ଥିଲା ଯେ ଦୟାନଦୀର ଜଳ ରକ୍ତରେ ଲାଲ୍ ହୋଇଯାଇଥିଲା୤ ଏହା ଦେଖି ଅଶୋକ ଯୁଦ୍ଧ ତ୍ୟାଗ କରି ଶାନ୍ତି ପଥର ଯାତ୍ରୀ ହୋଇଥିଲେ ଏବଂ ସେ ବୌଦ୍ଧ ଧର୍ମକୁ ଆପଣେଇ ନେବା ସହ ବିଶ୍ବରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟ କରିଥିଲେ୤ 

୧୫୦ ଖ୍ରୀଷ୍ଟପୂର୍ବ ବେଳକୁ ଜୈନ ସମ୍ରାଟ ଖାରବେଳ ଓଡ଼ିଶାକୁ ରାଜୁତି କରିବ ସହ ଭାରତ ଭୂଖଣ୍ଡର ଏକ ବିସ୍ତୃତ ଅଞ୍ଚଳକୁ ଅକ୍ତିଆର କରିଥିଲେ୤ ସେ ଉଦୟଗିରି ଗୁମ୍ଫାରେ କୀର୍ତ୍ତିମାନ ନିର୍ମାଣ କରାଇଥିଲେ୤ ତାଙ୍କ ପରେ ସମୁଦ୍ରଗୁପ୍ତ, ଶଶାଙ୍କ ଆଦି ରାଜା ମାନେ ଓଡ଼ିଶାକୁ ରାଜୁତି କରିଥିଲେ୤ ପରେ ସୋମବଂଶୀ ରାଜା ଯଯାତି (ଖ୍ରୀଷ୍ଟାବ୍ଦ ୧୦୨୫) ଙ୍କ ଦ୍ବାରା ଓଡ଼ିଶାରେ ଅନେକ ମନ୍ଦିରର ନିର୍ମାଣ ହୋଇଥିଲା୤ ସେ ଲିଙ୍ଗରାଜ ମନ୍ଦିର ନିର୍ମାଣ କରିଥିଲେ୤ ଅନନ୍ତବର୍ମନ ଚୋଡ଼ଗଙ୍ଗ ଜଗନ୍ନାଥ ମନ୍ଦିରର ପୁନରୋଦ୍ଧାର ଏବଂ ନିର୍ମାଣ କରାଇଥିଲେ, ନରସିଂହଦେବ କୋଣାର୍କ ମନ୍ଦିରର ନିର୍ମାଣ କରାଇଥିଲେ୤

ସମଗ୍ର ଦେଶରେ ମୋଗଲ ସାମ୍ରାଜ୍ୟର ବ୍ୟାପ୍ତି ହେଉଥିବା ବେଳେ ଓଡ଼ିଶା ଏହାଠାରୁ ବହୁ ଦୂରରେ ଥିଲା କିନ୍ତୁ ଶେଷ ଓଡ଼ିଆ ସମ୍ରାଟ ମୁକୁନ୍ଦଦେବ ଯୁଦ୍ଧରେ ପ୍ରାଣ ହାରିବା ପରେ ରାମଚନ୍ଦ୍ର ଭଞ୍ଜ ଓଡ଼ିଶାରେ ମୋଗଲ ସାମ୍ରାଜ୍ୟର ଉତଥାନ କରିବାକୁ ସ୍ବପ୍ନ ଦେଖିଥିଲେ୤ କିନ୍ତୁ ସେ ବି ଯୁଦ୍ଧରେ ପ୍ରାଣ ହାରିବା ପରେ ଅନେକ ଲୋକ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ହେଲେ ଶେଷରେ ୧୭୫୧ ମସିହାରେ ବଙ୍ଗଳାର ନବାବ ଆଲିବର୍ଦି ଖାନ୍ ଏହି ଅଞ୍ଚଳକୁ ମରାଠା ସାମ୍ରାଜ୍ୟ ସହ ଯୋଡ଼ିଦେଇଥିଲେ୤

ବ୍ରିଟିଶ ସାମ୍ରାଜ୍ୟ ସମୟରେ ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ମାଡ୍ରାସ୍ ପ୍ରେସିଡେନ୍ସି ଏବଂ ଉତ୍ତରାଞ୍ଚଳକୁ ବେଙ୍ଗାଲ୍ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ କରାଯାଇଥିଲା୤ ଏହି ସମୟରେ ଓଡ଼ିଶାରେ ବକ୍ସି ଜଗବନ୍ଧୁ ଏବଂ ଜୟୀ ରାଜଗୁରୁ ଆଦି ଆଞ୍ଚଳିକ ମୁଖ୍ୟମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ, ଯଦିଓ ପ୍ରଥମ ସିପାହୀ ବିଦ୍ରୋହ ଓଡ଼ିଶାର ଖୋର୍ଦ୍ଧା ଗଡ଼ରୁ ଆରମ୍ଭ ହୋଇଥିଲା, ଏହାକୁ ଖୁବ୍ ଶୀଘ୍ର ଦମନ କରାଯାଇଥିଲା ଏବଂ ସେଇଥିପାଇଁ ଏହାକୁ ଇତିହାସକାର ମାନେ କୌଣସି ଗୁରୁତ୍ତ୍ବ ଦେଇନଥିଲେ୤ ବିଭିନ୍ନ ଇତିହାସ ପୁସ୍ତିକାରେ ସିପାହୀ ବିଦ୍ରୋହକୁ ମଙ୍ଗଳପାଣ୍ଡେଙ୍କ ସହ ଯୋଡ଼ି ଦେଖାଯାଏ ହେଲେ ପ୍ରକୃତ ସିପାହୀ ବିଦ୍ରୋହ ଓଡ଼ିଶାରେ ୧୮୧୮ ମସିହାରେ ହୋଇଥିଲା୤ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ସରକାରଙ୍କ ଅପାରଗତା ଓ ଆମ ଓଡ଼ିଆ ଲୋକଙ୍କ ନେତୃତ୍ବହୀନତା ହେତୁ ଅନ୍ୟୁନ ଦଶଲକ୍ଷ ଲୋକଙ୍କ ପ୍ରାଣ ଚାଲିଗଲା୤

୧୯୦୩ ମସିହାରେ କୁଳବୃଦ୍ଧ ମଧୁସୁଦନଙ୍କ ନେତୃତ୍ବରେ ପାରଳାଖେମୁଣ୍ଡିର ତତ୍କାଳୀନ ରାଜା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ  ଉତ୍କଳ ସମ୍ମିଳନୀର ସ୍ଥାପନା କରାଯାଇଥିଲା୤ ସେହି ସମୟରେ ବଙ୍ଗଳା ଭାଷାଭାସୀ ଶିକ୍ଷକ ମାନଙ୍କୁ ଓଡ଼ିଶାରେ ଅବସ୍ଥାପିତ କରାଇ ଓଡ଼ିଆ ଭାଷାର ଅବସ୍ଥିତିକୁ ସଂକଟାପର୍ନ୍ନ ଅବସ୍ଥାକୁ ନେଇଯାଉଥିବା କିଛି ରାଜନୈତିକ ଷଡ଼ଯନ୍ତ୍ରକୁ ଉତ୍କଳ ସମ୍ମିଳନୀ ସାହାସର ସହ ମୁକାବିଲା କରିବା ପରେ ଓଡ଼ିଆ ଭାଷା ଏକ ସ୍ବତନ୍ତ୍ର ଭାଷା ବୋଲି ସିଦ୍ଧ ହୋଇଥିଲା ଏବଂ ଏହି ଭିତ୍ତିରେ ଅପ୍ରେଲ ୧ ତାରିଖ ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା୤ ସାର୍ ଜନ୍ ଅଷ୍ଟିନ୍ ହବାକ ସ୍ବାଧୀନ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ରହିଥିବା ବେଳେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ୤ ଭାରତ ସ୍ବାଧୀନ ହେବାପରେ ୧୯୪୭ ମସିହା ଡିସେମ୍ବର ୨୭ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଭାରତୀୟ ଗଣତନ୍ତ୍ରର ଅଂଶ ହୋଇଥିଲା୤

ବର୍ଷ ୨୦୧୧ର ଜନଗଣନା ଅନୁସାରେ ଓଡ଼ିଶାର ଜନସଂଖ୍ୟା ୪୧,୯୪୭,୩୫୮ ଏବଂ ଏଥିରୁ ୨୧,୨୦୧,୬୭୮ (୫୦.୫୪%) ପୁରୁଷ ଏବଂ ୨୦,୭୪୫,୬୮୦ (୪୯.୪୬%) ମହିଳା ରହିଥିବା ବେଳେ ରାଜ୍ୟର ପୁରୁଷ ମହିଳା ଅନୁପାତ ୧୦୦୦ ରେ ୯୭୮ ବୋଲି ଜଣାଯାଇଛି୤ ଓଡ଼ିଶାର ଜନସଂଖ୍ୟାର ୮୧.୮% ଲୋକ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ଅନ୍ୟମାନେ ବଙ୍ଗଳା, ହିନ୍ଦୀ, ତେଲୁଗୁ ଓ ସାନ୍ଥାଳୀ ଭାଷାରେ ବାର୍ତ୍ତାଳାପ କରୁଥିବା ଜଣାପଡ଼େ୤ ଓଡ଼ିଶାର ଜନସଂଖ୍ୟାର ୩୮.୬୬% ଭାଗ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଯେଉଁଥିରେ ବଣ୍ଡା, ସାନ୍ତାଳ, ମୁଣ୍ଡ, ଓରା, କନ୍ଧ, ମହାଲି ଇତ୍ୟାଦି ଅନ୍ତର୍ଭୂକ୍ତ୤

ସମ୍ପର୍କ ଦୁର୍ବଳ ହୁଏ କାହିଁକି ?

ଆଶା କରନାହିଁ, ଦୁଃଖ କର ନାହିଁ୤ ପୁରୁଷ ଓ ନାରୀ ବସ୍ତୁତଃ ପରସ୍ପରଠାରୁ ସମ୍ପୂର୍ଣ୍ଣଭାବେ ଭିନ୍ନ୤ ପରସ୍ପରର ସହଭାଗୀ ହୋଇପାରନ୍ତି, କିନ୍ତୁ ନିଜକୁ ଅନ୍ୟଭଳି କରିବାକୁ ଚେଷ୍ଟା କରିଲେ ବିଫଳ ହେବେ ହିଁ ହେବେ୤ କିନ୍ତୁ କିଛି ସ୍ତ୍ରୀ ନିଜ ସ୍ବାମୀଙ୍କୁ ଭିନ୍ନ ଭିନ୍ନ୍ କାରଣ ଦର୍ଶାଇ ଲାଞ୍ଛନା ଦେଇଥାନ୍ତି ଏବଂ ସେମାନଙ୍କ ସମ୍ପର୍କ ଦୁର୍ବଳ ହୋଇଥାଏ୤ ଏମିତି କିଛି କାରଣ ହେଲା;
ସ୍ତ୍ରୀମାନେ ସାଧାରଣତଃ ଅଭିଯୋଗ କରନ୍ତି, ତୁମେ ମୋର ନିରବତାକୁ ବୁଝିପାରୁନ ମୋ କଥା କଣ ବୁଝିବ୤ କିନ୍ତୁ ସତ୍ୟ ହେଉଛି, ଯେ ନିରବତା ଅପେକ୍ଷା ଶବ୍ଦକୁ ବୁଝିବା ବହୁତ ସହଜ୤ ସ୍ତ୍ରୀମାନେ ଭୁଲିଯାଉଛନ୍ତି ଯେ ସ୍ବାମୀମାନେ ଅନ୍ୟ ଜଣେ ଲୋକ ଏବଂ ସେମାନଙ୍କ ଭିତରେ କୌଣସି ତାର ଲାଗିନି ଯେ ଆପେ ଆପେ ସ୍ବାମୀ ସ୍ତ୍ରୀର ମନ କଥା ବୁଝିଦେଇ ପାରିବ୤ ସେଇଥିପାଇଁ ଯଦି କିଛି କହିବାର ଅଛି ଶବ୍ଦର ସାହାର ନିଅ, ନିରବ ରହ ନାହିଁ୤
ପରିବର୍ତ୍ତନ ହିଁ ଦୁନିଆର ନିୟମ୤ କିଛି ମହିଳା ଭାବନ୍ତି ଯେ ତାଙ୍କ ସ୍ବାମୀ ତାଙ୍କୁ ସୁହାଇଲା ଭଳି ପରିବର୍ତ୍ତିତ ହୋଇଯିବେ୤ କିନ୍ତୁ ସବୁ ପରିବର୍ତ୍ତନ ତତ୍‌କ୍ଷଣାତ ହୁଏ ନାହିଁ୤ କିଛି ପରିବର୍ତ୍ତନ ହେବାପାଇଁ ବର୍ଷ ବର୍ଷ ସମୟ ବି ଲାଗିପାରେ୤ ତୁମ ସହ ସମ୍ପର୍କ ରଖିବାକୁ ହେଲେ ଜଣେ ବ୍ୟକ୍ତି ଗୋଟିଏ ରାତିରେ ପୁରା ବଦଳିଯିବ ବୋଲି ଭାବିବା ମୁର୍ଖାମୀ ଛଡ଼ା ଆଉ କିଛି ହୋଇନପାରେ୤ ଯେଉଁ ବ୍ୟକ୍ତି ଜନ୍ମରେ ଏମିତି ଥିବ ଆଉ ତାକୁ ସେମିତି ଦେଖି ତୁମେ ଭଲ ପାଇଥିବ, ଏବେ ତାକୁ ବଦଳାଇବାକୁ ଏତେ ତତ୍ପର କାହିଁକି ?
ଅନେକ ମହିଳା ନିଜ ପୁରୁଷ ସାଥୀଙ୍କର ମୁଖ୍ୟ ଆକର୍ଷଣ ହୋଇ ରହିବାକୁ ଚେଷ୍ଟା କରନ୍ତି୤ ସବୁବେଳେ କେବଳ ସେ ତାଙ୍କ ବିଷୟରେ ହିଁ ଚିନ୍ତାକରୁ୤ କିନ୍ତୁ ସେମାନେ ଭୁଲିଯାଆନ୍ତି, ସେମାନେ ଯେତେ ସମୟ ଏକାଠି ରହିଲେ ବି ଏହା ପୂର୍ବରୁ ପୁରୁଷ ଜଣକ ନିଜ ପରିବାର ସହ ଅଧିକ ସମୟ ବିତାଇଛି, ସେ ନିଜ ପାଇଁ କିଛି ଅଭ୍ୟାସ, ଲକ୍ଷ୍ୟ, ବନ୍ଧୁ ଆଉ ଯୋଜନା କରିଛି୤ ସେ ସବୁ ଛାଡ଼ିଦେଇ କେବଳ ତୁମ କଥା ହିଁ ଚିନ୍ତା କରିବ ବୋଲି ଯଦି ଭାବୁଥାଅ, ତା ହେଲେ ଏହା ସମ୍ଭବ ନାହିଁ୤
ହଁ ତୁମ ପାଇଁ ହୁଏତ ସେ ଅନେକ ରାତି ଅନିଦ୍ରା ରହିଥାଇ ପାରେ, କିମ୍ବା ତୁମ କଥା ଚିନ୍ତା କରି ଦିନ ଆରମ୍ଭ ଓ ଶେଷ କରୁଥାଇ ପାରେ, କିନ୍ତୁ ସବୁବେଳେ ଓ ସବୁ ସମୟରେ ତୁମେ ହିଁ ତା’ର ପ୍ରାଥମିକତା ବୋଲି ଭାବିବା ଅନୁଚିତ୤ ବେଳେ ବେଳେ କର୍ମବ୍ୟସ୍ତତାରେ ରହି ସେ ଯଦି ଫୋନ କରିବାକୁ ଭୁଲିଯାଏ, ତେବେ ବିରକ୍ତି ହେବା ଅନୁଚିତ୤ ତୁମ ଛଡ଼ା ତା ପାଇଁ ଆହୁରି ଅନେକ ଗୁରୁତ୍ତ୍ବପୂର୍ଣ୍ଣ ଜିନିଷ ଅଛି, ଯେମିତି ପରିବାର, ଚାକିରୀ, ବ୍ୟବସାୟ, ବନ୍ଧୁବାନ୍ଧବ, ଘର ଭଡ଼ା, ଗୃହଋଣ, ଗାଡ଼ି ଋଣ ଇତ୍ୟାଦି୤ ତୁମେ ତାଙ୍କ ଜୀବନର ଏକ ପ୍ରମୁଖ ଅଂଶ ହୋଇପାର, କିନ୍ତୁ କେବଳ ତୁମେ ହିଁ ହେବ ତାହା ସମ୍ଭବ ନୁହେଁ୤
ନିଜର ବ୍ୟକ୍ତିଗତ ଜୀବନକୁ ତ୍ୟାଗ କରିବା କୌଣସି ବ୍ୟକ୍ତିପାଇଁ ମଧ୍ୟ ଚିନ୍ତାର ବିଷୟ ହୋଇପାରେ୤ 

ପୁରୁଷମାନେ କିଛି କଥା ଲୁଚାଇଲେ ବା ନ ଲୁଚାଇଲେ ବି, ସେମାନେ ସବୁ ବେଳେ ସବୁ ବିଷୟରେ କଥା ହେବାକୁ ଭଲ ପାଆନ୍ତି ନାହିଁ୤ ଅପରନ୍ତୁ ଅନେକ ମହିଳା ନିଜ ମନରେ ଥିବା ସବୁ କଥା କହିଦେବାରେ ବିଶ୍ବାସ କରନ୍ତି୤ ସେଇଥିପାଇଁ ସେମାନେ ମଧ୍ୟ ନିଜ ପୁରୁଷ ସାଥୀଠାରୁ ସମାନ ପ୍ରତିକ୍ରିୟା ଆଶା କରନ୍ତି୤ ମନେ ରଖ, ପୁରୁଷ ମାନେ ଅଧିକ ପ୍ରତିକ୍ରିୟାଶୀଳ ନ ହୋଇ ବା ଭାବପ୍ରବଣ ନ ହୋଇ କାମ କରନ୍ତି୤ ସେଇଥିପାଇଁ ସେମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ଏକା ଛାଡ଼ିଦିଅ୤

ପ୍ରତ୍ୟେକ ବ୍ୟକ୍ତିର ନିଜସ୍ବ ଇଚ୍ଛା ଓ ସ୍ବାଚ୍ଛନ୍ଦ୍ୟ ଥାଏ୤ ସମାନ ଇଚ୍ଛା ବା ପସନ୍ଦ ଥିଲେ ଲୋକମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥାନ୍ତି୤ ହେଲେ ସମୟ ସହିତ ବ୍ୟକ୍ତିର ପସନ୍ଦ ଅପସନ୍ଦ ବି ବଦଳିଥାଏ୤ ତୁମକୁ ଯଦି କୌଣସି ଜିନିଷ ପସନ୍ଦ ନାହିଁ, ତା ହେଲେ ତୁମେ ନିଜ ପୁରୁଷ ସାଥୀକୁ ମଧ୍ୟ ନିଜର ପସନ୍ଦ ବଦଳାଇବା ପାଇଁ ବାଧ୍ୟ କରିବା ଅନୁଚିତ୤ ଯେମିତି ତୁମେ ତା ପସନ୍ଦର ସବୁ ଜିନିଷକୁ ଭଲ ପାଅନାହିଁ, ସେମିତି ସେ ମଧ୍ୟ ତୁମ ପସନ୍ଦକୁ ଭଲ ପାଇବ ବୋଲି କୌଣସି ଧରାବନ୍ଧା ନିୟମ ନାହିଁ୤

ଆମ ପିଲାମାନେ କଣ ଦେଖୁଛନ୍ତି ?

ବିଗତ ଦିନରେ ଆମେରିକାରେ ସଂଗଠିତ ଏକ ବିଭତ୍ସ ହତ୍ୟାକାଣ୍ଡରେ ନିଜ ମା’କୁ ମାରିଦେଇଥିବା ଅଭିଯୋଗରେ ଜଣେ ଝିଅକୁ ଗିରଫ କରାଗଲା୤ ସୂଚନାରୁ ଜଣାପଡ଼ିଥିଲା ଯେ ବର୍ଷେତଳେ ଜଣେ ମହିଳାଙ୍କୁ କେହି ଜଣେ ଗଳାକାଟି ହତ୍ୟା କରିଥିଲା ଏବଂ ଏହାର ସୂଚନା ସଂପୃକ୍ତ ମହିଳାଙ୍କ ଝିଅ ପୋଲିସକୁ ଦେଇଥିଲା, ସେ କହିଥିଲା ଯେ ଗୋରା ଦେଖାଯାଉଥିବା କେହିଜଣେ ବ୍ୟକ୍ତି ଘରେ ପଶି ତା ମାଆଙ୍କୁ ହତ୍ୟା କରିଛି୤ ପୋଲିସ ଅନେକ ଦିନଧରି ତଦନ୍ତ କରିବାପରେ ଶେଷରେ ମୃତ ମହିଳାଙ୍କ ଝିଅକୁ ଗିରଫ କରିଥିଲେ୤ 
ସଂପ୍ରତି ବିଶ୍ବରେ ବିପଦ ଭାବେ ଦେଖାଦେଇଥିବା ଆଇଏସଆଇଏସର ପ୍ରଭାବରେ ଝିଅଟି ନିଜ ମାଆକୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲା୤ ଝିଅଟିର ଲ୍ୟାପଟପକୁ ପରୀକ୍ଷା କରିବା ବେଳେ ସେଥିରେ ସେ ଆଇଏସଆଇଏସ ମାନେ ଲୋକଙ୍କୁ ଗଳାକାଟି ହତ୍ୟା କରୁଥିବାର ଭିଡ଼ିଓ ଦେଖିଥିବାର ପ୍ରମାଣ ମିଳିଲା୤ ଏହା ବ୍ୟତୀତ ଯେଉଁଦିନ ଏହି ହତ୍ୟାକାଣ୍ଡ ଘଟିଥିଲା ସେହିଦିନ ସନ୍ଧ୍ୟାରେ ଝିଅଟି ସେଇ ଭିଡ଼ିଓ ଅନେକଥର ଦେଖିଥିଲା୤ ଏହାପରେ ସେ ଗୋଟିଏ ପରିବା କଟା ଛୁରୀରେ ନିଜ ମାଆକୁ ଆକ୍ରମଣ କରି ଆଘାତ କରିଦେଇ ଗଳାକାଟି ହତ୍ୟା କରିଥିଲା୤ 

ଆଜିକାଲି ଆମ ପିଲାମାନେ ଟିଭି ଓ କମ୍ପ୍ୟୁଟରରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି୤ ଅନେକ ପିଲା ମୋବାଇଲରେ ନିଜେ ନିଜେ ବସି କଣ ସବୁ ଦେଖୁଛନ୍ତି ତାହା ଜାଣିବା ସମ୍ଭବ ହୋଇ ପାରୁନି୤ ପିଲାମାନେ ବହୁତ ଚତୁର ହେଲେଣି, ନିଜ ମୋବାଇଲରେ ସୁରକ୍ଷିତ ପାସୱାର୍ଡ଼ ବ୍ୟବହାର କରି ଏହା ଅନ୍ୟ କେହି ଯେମିତି ଦେଖି ନ ପାରିବ ସେଇ ବ୍ୟବସ୍ଥା ବି କଲେଣି୤ ସେଇଥିପାଇଁ ସେମାନେ କଣ ଦେଖୁଛନ୍ତି ବା ନାହିଁ, ତାହା ବିଷୟରେ ଆମେ ସଚେତନ ହେବା ଜରୂରୀ ହୋଇପଡ଼ିଛି୤ ବ୍ୟସ୍ତବହୁଳ ଜୀବନରେ ପରିବାର ପାଇଁ ସମୟ ବାହାର କରିବାର ଅଭାବ ଦେଖାଦେଲେ ଅନେକ ଅଭାବନୀୟ ପରିସ୍ଥିତି ଉପୁଜିପାରେ୤ ତେଣୁ ଆପଣଙ୍କ ଘରେ ଥିବା ସାନ ସାନ କୋମଳମତି ଶିଶୁମାନେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତାହା ବିଷୟରେ ସମୟ ସମୟରେ ଅନୁଧ୍ୟାନ କରିବା ଉଚିତ୤

ଦୋଷ କାହାର : ଆପଣ ହିଁ ଚିନ୍ତା କରନ୍ତୁ !

ବିଗତ ୮ ତାରିଖ ଦିନ ଛତିଶଗଡ଼ ରାଜ୍ୟର ତଖତପୁର ଜିଲ୍ଲା ଅନ୍ତର୍ଗତ ପେଣ୍ଡାରୀ ଗାଁରେ ଏକ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ୮୩ ଜଣ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା, ଏଥିରେ ୧୩ ଜଣ ମହିଳା ଅସ୍ତ୍ରୋପଚାର ପରେ ପରେ ମୃତ୍ୟୁବରଣ କରିଥିଲେ୤ ଏହାର ତଦନ୍ତ ହୋଇନଥିବା ବେଳେ ସରକାର ପ୍ରାଥମିକ ପଦକ୍ଷେପ ସ୍ବରୂପ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି୤ ଏହି କାର୍ଯ୍ୟକ୍ରମର କିଛି ତଥ୍ୟ :

୧. ଏହି କାର୍ଯ୍ୟକ୍ରମ କରିଥିବା ଡା ଗୁପ୍ତାଙ୍କୁ ଚଳିତ ବର୍ଷର ଜାନୁଆରୀ ୨୬ ତାରିଖ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ରମଣ ସିଂହ ୫୦,୦୦୦ ଲାପାରୋସ୍କୋପିକ୍ ସର୍ଜରୀ କରିଥିବା ହେତୁ ସମ୍ମାନିତ କରିଥିଲେ୤
୨. ମୃତା କୌଣସି ମହିଳାଙ୍କ ପୋଷ୍ଟମର୍ଟେମ୍ ରିପୋର୍ଟରେ ଅସ୍ତ୍ରୋପଚାରରେ ତୃଟି ହୋଇଥିବା କଥା କୁହାଯାଇନାହିଁ୤
୩. ଯଦି ଅସ୍ତ୍ରୋପଚାରରେ କୌଣସି ତୃଟି ହୁଏ ତେବେ ମଧ୍ୟ ରୋଗୀ ୪୮ ଘଣ୍ଟାପୂର୍ବରୁ ମୃତ୍ୟୁବରଣ କରିବା ଅତ୍ୟନ୍ତ ବିରଳ୤ ଚିକିତ୍ସା ପ୍ରଣାଳୀରେ ତୃଟି ରହିଲେ ତାହା ଆମ ତନ୍ତୁରେ ବ୍ୟାପୀ ପଚିଯାଇ ରୋଗୀ ମୃତ୍ୟୁବରଣ କରିପାରେ, କିନ୍ତୁ ଏହି ସବୁ ଘଟଣା ପାଇଁ ଅନ୍ୟୁନ ଦୁଇ ଦିନ ସମୟ ଲାଗିପାରେ୤
୪. କିଛି ଅନଭିଜ୍ଞ ବ୍ୟକ୍ତିମାନେ କହୁଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ଶରୀର ଭିତରର କୌଣସି ଗୁରୁତ୍ତ୍ବପୂର୍ଣ୍ଣ ଅଙ୍ଗକୁ ଆଘାତ ବାଜି ଏହି ଘଟଣା ଘଟିଥାଇପାରେ୤ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ଅବଗତି ପାଇଁ ଜଣାଇଦେଉଛି ଯେ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାରରେ ଅଭ୍ୟନ୍ତରୀଣ ଆଘାତ ପ୍ରାୟତଃ ହୁଏ ନାହିଁ, ଆଉ ଯଦି ବି ହୋଇଥାଏ, ତା’ହେଲେ ଏତେ ସଂଖ୍ୟକ ରୋଗୀଙ୍କ କ୍ଷେତ୍ରରେ ସମାନ ଆଘାତ ହେବା ଅସମ୍ଭବ୤
୫. କୌଣସି ପ୍ରକାରର ମେଡ଼ିକାଲ୍ ଚିକିତ୍ସାପରେ ଯଦି ରୋଗୀର ମୃତ୍ୟୁ ତୁରନ୍ତ ହୋଇଯାଏ, ତାହେଲେ ଏହାର ଏକ ମାତ୍ର କାରଣ ଔଷଧୀୟ ଅସୁବିଧା ହିଁ ହୋଇପାରେ୤ ଯେଉଁ ସବୁ ମହିଳାମାନେ ମୃତ୍ୟୁବରଣ କଲେ ସମ୍ଭବତଃ ସେମାନଙ୍କୁ ଦିଆଯାଇଥିବା ଔଷଧର କୌଣସି ରାସାୟନିକ ପ୍ରକ୍ରିୟା ହେତୁ ମୃତ୍ୟୁ ହୋଇଥିବା କଥା ବିଷେଶଜ୍ଞମାନେ ମତ ଦେଇଛନ୍ତି୤ ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ବ୍ୟବହାର ହୋଇଥିବା ଔଷଧ ସବୁ, ଜନୈକ ମନ୍ତ୍ରୀଙ୍କ ଜାମାତଙ୍କ ଦ୍ବାରା ଯୋଗାଇ ଦିଆଯାଇଥିଲା, ଆଉ ସେ ସବୁ ଔଷଧ ଜେନେରିକ ଔଷଧ ଥିଲା, ଯାହା ଯେଉଁ କମ୍ପାନୀରୁ ଅଣାଯାଇଥିଲା ତା’ର ନାଁ କେହି ଜାଣନ୍ତିନାହିଁ୤ ଜେନେରିକ୍ ଔଷଧର ବ୍ୟବହାରକୁ ପ୍ରୋତ୍ସାହନ କରୁଥିବା ଅମିର ଖାନ୍ ବର୍ତ୍ତମାନ ଏହି ଘଟଣା ପରେ କଣ ମନ୍ତବ୍ୟ ଦେଉଛନ୍ତି ତାହା ଦେଖିବାକୁ ରହିଲା୤ ଯେହେତୁ ଔଷଧ ଯୋଗାଣ ବ୍ୟବସ୍ଥାରେ ଥିବା ବ୍ୟକ୍ତି ମନ୍ତ୍ରୀଙ୍କ ଜାମାତା, ତେଣୁ ଔଷଧର ମାନ ନିର୍ଦ୍ଧାରଣ କରିବା ଏବଂ ପରୀକ୍ଷାନିରୀକ୍ଷା ସମୟରେ ରିପୋର୍ଟକୁ ବଦଳାଇ ଦିଆଯାଇପାରେ୤
୬. କିଛି ବ୍ୟକ୍ତି ଅଭିଯୋଗ କରନ୍ତି ଯେ ଜଣେ ଚିକିତ୍ସକ ଦିନରେ ସର୍ବାଧିକ ୧୦ଟି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିପାରିବ୤ ସେମାନଙ୍କ ଅବଗତି ପାଇଁ ଜଣାଇ ଦେଉଛି, ଯେ ଲାପାରୋସ୍କୋପିକ୍ ପ୍ରଣାଳୀରେ ଜଣେ ଚିକିତ୍ସକ ଦଶରୁ ଅଧିକ ସଂଖ୍ୟକ ବନ୍ଧ୍ୟାକରଣ କରିପାରେ୤ ଏବଂ ଭାରତରେ ମହିଳା ବନ୍ଧ୍ୟାକରଣକୁ ପ୍ରାଧାନ୍ୟ ଦିଆଯାଇ ପ୍ରତିବର୍ଷ ଅଗଣିତ ବନ୍ଧ୍ୟାକରଣ ଶିବିର ମାନ ଆୟୋଜନ କରାଯାଏ, ଏବଂ ଚିକିତ୍ସକମାନେ ଅଗଣିତ ମହିଳାଙ୍କ ବନ୍ଧ୍ୟାକରଣ କରନ୍ତି୤ ଏଥିପାଇଁ କୌଣସି ସୂଚନା ସରକାରୀ ଭାବରେ ଦିଆଯାଇ ନଥିଲା, ଯେହେତୁ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଜିଲ୍ଲା ଚିକିତ୍ସାଧିକାରୀ ସମେତ, ଜିଲ୍ଲାପାଳ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ସମେତ ଅନେକ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ, ଏବଂ ସେମାନେ ନିଶ୍ଚୟ ଭାବେ ଏହା ଜାଣିଥିଲେ ଯେ ଶିବିରକୁ ଆସିଥିବା ମହିଳା ମାନଙ୍କ ସଂଖ୍ୟା ଅଧିକ ଥିବା ବେଳେ ଚିକିତ୍ସକ କେବଳ ଜଣେ ଥିଲେ, ତା ହେଲେ ଶିବିରକୁ ବନ୍ଦ କରିଦିଆଗଲା ନାହିଁ କାହିଁକି ?

ଉପରୋକ୍ତ ସମସ୍ତ ତଥ୍ୟକୁ ପଢ଼ିବାପରେ ଯାହା ସ୍ପଷ୍ଟ ଭାବରେ ଜଣାପଡ଼େ ତାହା ହେଉଛି, ଏହି ସମସ୍ତ ଘଟଣାରେ ଡାକ୍ତରଙ୍କୁ ଅଭିଯୁକ୍ତ କରି ଉପସ୍ଥାପନ କରି ସମସ୍ତେ ନିଜ ଦୋଷ କେବଳ ଡାକ୍ତରଙ୍କ ମୁଣ୍ଡରେ ଲଦିଦେବାପାଇଁ ଚାହାନ୍ତି୤ ଯେତେବେଳେ ଏହା ସ୍ପଷ୍ଟ ଯେ ଏଥିରେ ଡାକ୍ତରଙ୍କ କୌଣସି ତୃଟି ଥିବାପରି ଲକ୍ଷଣ ଘଟଣାପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିନାହିଁ୤

ଘଟଣାର ଗମ୍ଭୀରତାକୁ ଦେଖିବାପରେ ସରକାର ତରବରିଆ ଭାବରେ ଡାକ୍ତରଙ୍କୁ ବରଖାସ୍ତ କରିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ ଥିଲା୤ ଏହି ପରି ଘଟଣାମାନ ଘଟିବାପରେ କୌଣସି ଡାକ୍ତର ଚିକିତ୍ସା କରିବାକୁ କାହିଁକି ଇଚ୍ଛା ପ୍ରକଟ କରିବ ?

ଶରୀରଂ ଆଦ୍ୟଂ

ବିଶ୍ବର ବିଭିନ୍ନ ଧର୍ମରେ ମନୁଷ୍ୟର ସତ୍ତାକୁ ନେଇ ଭିନ୍ନ ଭିନ୍ନ ଧାରଣା ରହିଥିବା ବେଳେ, ଅଧିକାଂଶ ସ୍ଥଳରେ ଶରୀର ଅପେକ୍ଷା ଆତ୍ମାକୁ ଅଗ୍ରାଧିକାର ଦିଆଯାଇଥିବା ଦେଖାଯାଏ I ବିଭିନ୍ନ ଧର୍ମରେ ଆତ୍ମାର ପୁନଃ ଜୀବନ୍ୟାସ କଥା ବି ଶୁଣିବାକୁ ମିଳେବସ୍ତୁଭାବରେ ଦେଖାଯାଇଛି I ଯାହାକୁ କେହି ବି ନଷ୍ଟ ୤ ଶରୀର ମାତ୍ର ବଦଳିଯାଏ, କିନ୍ତୁ ଆତ୍ମା ସର୍ବଦା ବିଦ୍ୟମାନ ରହେ୤

ହେଲେ ପାର୍ଥିବ ଜଗତରେ ଆତ୍ମା ଅପେକ୍ଷାର ଶରୀରକୁ ମହତ୍ତ୍ବ ଦିଆଯାଏ I ଆମ ସମ୍ମୁଖରେ ମସିଣା ଉପରେ ପଡ଼ିଥିବା ନିଶ୍ଚଳ ଶରୀରକୁ ଆମେ କୌଣସି ନାମ ନ ନେଇ କେବଳ ମରଶରୀର ବା ମଢ଼ ବୋଲି କହିଥାଉ୤ ଜୀବନ ଥିବା ବେଳେ ଯେଉଁ ପ୍ରାଣୀଟି କାହାର ମାଆ କାହାର ଭଉଣୀ କାହାର ଝିଅ ଥାଏ, ଶରୀରରୁ ଆତ୍ମାର ବିଦାୟ ହେଉ ହେଉ ତାହା ହୋଇଯାଏ ମାତ୍ର ଏକ ବସ୍ତୁ୤ ଯେଉଁ ଲୋକ ଜୀବନଥିବା ଅଜସ୍ର ଶକ୍ତିର ଅଧିକାରୀ ହୋଇଥାଏ ସେ ବି ମୃତୋପରାନ୍ତ ଇହଲୋକରୁ ପରଲୋକକୁ ଯାତ୍ରା କରିବାପାଇଁ ଚାରି କାନ୍ଧକୁ ଲୋଡ଼ିଥାଏ୤ 
କେତେ ଅସହାୟ ସତେ ଲାଗେ୤ ଯେଉଁ ପ୍ରାଣୀ ଜୀବନ୍ତ ଅବସ୍ଥାରେ ହଜାର ହଜାର ଲୋକଙ୍କ ସହାୟକ ହୋଇଥାଏ, ସେ ମୃତ୍ୟୁବରଣ କରିବାପରେ ନିଜେ ନିଜ ଶରୀରକୁ ଉଠେଇବା ପାଇଁ ମଧ୍ୟ ଅସହାୟ ହୋଇପଡ଼େ୤ ମରଣୋପରାନ୍ତ ଶରୀରକୁ ଦାହ କରିଦିଆଯାଏ, କିଛି ଲୋକଙ୍କୁ ତଥାପି ଲୋକ ମନେ ରଖନ୍ତି ଅଥଚ ଅନେକ ଅସହାୟ ନିଜର ମୃତ୍ୟୁସହିତ ନିଜ ପରିଚୟ ଓ ସତ୍ତା ହରାଇ ଦିଅନ୍ତି୤ ଅଦ୍ଭୁତ ଏ ସଂସାର୤ ନିଜ ପରିଜନଙ୍କୁ ହରାଇବାର ଦୁଃଖ କେବଳ ହୃଦୟଙ୍ଗମ ହିଁ କରିହୁଏ ସିନା, ତାହା ବ୍ୟକ୍ତ କରିହୁଏନି୤ ଜୀବନରେ ଦେଖାଦେଇଥିବା ଏକ ଅପୂରଣୀୟ କ୍ଷତି କେବେ ପୂର୍ଣ୍ଣ ହୁଏନି୤ ଅନେକ ଲୋକ ଆସନ୍ତି ସତ ହେଲେ ଆମ ଅତି ପରିଚିତ ସେଇ ଚେହେରା କେବେ ବି ଆଉ ଫେରି ଆସେନି୤ ଘରର କେଉଁ ଏକ କୋଣରେ କାନ୍ଥରେ ଏକ ଛବି ହୋଇ ନିଜ ଆସ୍ଥାନ କରେ୤ ହେଲେ ସେ ଆଉ ଫେରେନି୤

ଜୀବନରେ ଅନେକ ଦୁଃଖ ଆସେ, କ୍ରୋଧ, ରୋଷ ଅଭିମାନ ବି ହୁଏ, ଏହି ଅଭିମାନରେ ଅନେକ ସମ୍ପର୍କ ସମୟରୁ ପୂର୍ବରୁ ସମାପିତ ହୋଇଯାଏ ସତ ହେଲେ ହୃଦୟ କନ୍ଦରରେ ଜଳୁଥିବା ବହ୍ନି କେବେ ପ୍ରଶମିତ ହୁଏ ନାହିଁ୤ କେହି କେବେ ଫେରିଯାଇଥିବା ଲୋକଙ୍କୁ ଫେରାଇ ଆଣିନାହିଁ କି ଆଣିବ ନାହିଁ୤ ନିଜ ହୃଦୟକୁ ନିର୍ମଳ କର୤କାରଣ ଯେ ଆସିଛି ସେ ଫେରିବ ନିଶ୍ଚୟ୤ ଆତ୍ମାକୁ ଉପଲବ୍ଧି କରିବା ଭଳି ସାମର୍ଥ୍ୟ ଆମର ନାହିଁ, ହେଲେ ଶରୀର ଆମ ସମ୍ମୁଖରେ ଅଛି୤ ସଶରୀର ମନୁଷ୍ୟକୁ ଭଲ ପାଅ୤ କାରଣ ଏ ଶରୀର ଚାଲିଗଲେ ଆଉ ଫେରିବନି୤ ଆଉ ଆତ୍ମା ??? ସେ ତ ଆମ ଅକ୍ତିଆରରେ ନାହିଁ...